ସପ୍ତମ ବେତନ କମିଶନ ସୁପାରିଶକୁ କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସପ୍ତମ ବେତନ କମିଶନ ସୁପାରିଶକୁ ଆଜି ମଞ୍ଜୁରୀ ମିଳିଛି। ଦେଶର ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୫୦ ଲକ୍ଷରୁ ଅଧିକ ପେନସନ ଉପଭୋକ୍ତା ଏହାର ସୁଫଳ ପାଇବେ।

କେନ୍ଦ୍ରୀୟ କର୍ମଚାରୀଙ୍କ ବେତନ ବୃଦ୍ଧି ନେଇ ଗତ ୨୦୧୫ ନଭେମ୍ବରରେ ସପ୍ତମ ବେତନ କମିଶନ ସୁପାରିସ କରିଥିଲେ। ଜିଷ୍ଟିସ ଏ.କେ. ମାଥୁରଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ତାଙ୍କ ସୁପାରିସ ନେଇ ୯୦୦ ପୃଷ୍ଠାର ରିପୋର୍ଟ ଅର୍ଥ ମନ୍ତ୍ରାଳୟକୁ ପ୍ରଦାନ କରିଥିଲେ। ଏଥିରେ କର୍ମଚାରୀଙ୍କ ଦରମା, ଭତ୍ତା ଏବଂ ପେନସନ ବାବଦରେ ମୂଳ ଦରମାରେ ୨୩.୫୫ ପ୍ରତିଶତ ବୃଦ୍ଧି ପାଇଁ ସୁପାରିସ କରାଯାଇଥିଲା। ପରେ ସରକାର ଗତ ଜାନୁଆରୀରେ ବେତନ କମିଶନଙ୍କ ସୁପାରିସର ତର୍ଜମା ଲାଗି କ୍ୟାବିନେଟ ସଚିବ ପି.କେ. ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କ୍ଷମତାପ୍ରାପ୍ତ କମିଟି ଗଠନ କରିଥିଲେ। କେନ୍ଦ୍ର ସରକାର ଗତ ୨୦୦୮ରେ ଷଷ୍ଠ ବେତନ କମିଶନଙ୍କ ସୁପାରିସ ଲାଗୁ କରିଥିଲେ।