ବିଜୁଳି ମାଡ଼ରେ ୭ ପିଲାଙ୍କ ସମେତ ୮ ମୃତ

ନୱାଦା: ବିହାରର ନୱାଦାରେ ଆଜି ଘନଘନ ବିଜୁଳି ମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ୮ ମୃତକଙ୍କ ମଧ୍ୟରେ ୭ ଜଣ ପିଲା ରହିଛନ୍ତି। ଏହି ବିଜୁଳି ମାଡ଼ ଘଟଣାରେ ଅନ୍ୟ ୫ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି।

ଏମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। କାଶିଚକ ଥାନା ଅନ୍ତର୍ଗତ ଧାନପୁର ଗାଁରେ ଆଜି ମଧ୍ୟାହ୍ଣରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ମାରିଥିଲା।

ବର୍ଷାରୁ ବର୍ତ୍ତିବା ପାଇଁ ୧୩ ଜଣ ପିଲା ଓ ଆଉ ଜଣେ ବ୍ୟକ୍ତି ଏକ ବରଗଛ ତଳେ ଆଶ୍ରୟ ନେଇଥିଲେ। କିନ୍ତୁ ଏହି ସମୟରେ ସେମାନେ ବଜ୍ରାଘାତର ଶିକାର ହୋଇଥିଲେ।

ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାର ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ସହ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।