୯ ବିକ୍ଷୋଭକାରୀଙ୍କୁ ଗୁଳି ମାରିଦେଲା ପୋଲିସ

ଚେନ୍ନାଇ: ତାମିଲନାଡୁରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ପୋଲିସର ଅନ୍ଧାଧୁନ୍ ଫାଇରିଂରେ ଟଳି ପଡ଼ିଲେ ୯ ଜଣ ବିକ୍ଷୋଭକାରୀ ଏବଂ ଆହତ ହେଲେ ୪୦ରୁ ଅଧିକ ଲୋକ। ତୁତିକୋରିନରେ ପ୍ରଦୂଷଣ ସୃଷ୍ଟିକାରୀ ଷ୍ଟେରଲାଇଟ୍ କମ୍ପାନୀକୁ ବନ୍ଦ କରିବା ଦାବିରେ ମଙ୍ଗଳବାର ଆନ୍ଦୋଳନ କରୁଥିବା ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଏଭଳି ଗୁଳିଚାଳନା କରିଛି।

ସୂଚନା ଅନୁସାରେ, ଷ୍ଟେରଲାଇଟ୍ କମ୍ପାନୀ ବନ୍ଦ କରିବା ଦାବିରେ ଗତ ଶହେ ଦିନ ଧରି ଆନ୍ଦୋଳନ ଚାଲିଥିଲା। ଆଜି ଆନ୍ଦୋଳନକୁ ଶହେ ଦିନ ପୂରଣ ହେଉଥିବାରୁ ସେଠାରେ ଆଖପାଖ ଅଞ୍ଚଳର ପ୍ରାୟ ୨୦ ହଜାରରୁ ଅଧିକ ବିକ୍ଷୋଭକାରୀ ଏକାଠି ହୋଇଥିଲେ। ଏପରିକି ସେମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା।

ଏହି ସମୟରେ ବିକ୍ଷୋଭକାରୀ ପୋଲିସ ଉପରକୁ ପଥର ମାଡ଼ କରିବା ସହ କେତେକ ସରକାରୀ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ ସେଠାରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହାଇଥିଲା। ତେବେ ହଜାର ହଜାର ବିକ୍ଷୋଭକାରୀଙ୍କୁ କାବୁ କରିବାକୁ ପୋଲିସ ବିଫଳ ହେବା ପରେ ଗୁଳି ଚାଳନା କରିଥିଲା। ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ହେବା ସହିତ ବହୁ ବକ୍ଷୋଭକାରୀ ଆହତ ହୋଇଛନ୍ତି।

ଏହି ଘଟଣା ପରେ ସେଠାରେ ଏବେ ବି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ଏହାକୁ ନେଇ ରାଜନୀତି ଜୋର ଧରିଛି। କଂଗ୍ରେସ ଓ ଡିଏମ୍‌କେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାରକୁ ତାମିଲନାଡୁ ସରକାର ୧୦ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ରାଶି ସହ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏଥିସହିତ ଘଟଣାର ଏକ ତଦନ୍ତ କମିଶନ ଗଠନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ସରକାର।

ଆଜିର ଘଟଣା ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ଓଡ଼ିଶାର କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଦେଇଛି। ଯାଜପୁର କଳିଙ୍ଗନଗରରେ ଟାଟା କମ୍ପାନୀକୁ ବିରୋଧ କରି ଆଦିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ୍‌ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ୧୪ଜଣ ନିରୀହ ଆଦିବାସୀ ପ୍ରାଣ ହରାଇଥିଲେ।