ପାକିସ୍ତାନ ଜନମତ: ଆଗରେ ଇମ୍ରାନ୍‌ଙ୍କ ଦଳ, ନିର୍ବାଚନକୁ ନେଇ ଜାଣନ୍ତୁ ୯ଟି କଥା

ଇସ୍‌ଲାମ୍‌ବାଦ: ପାକିସ୍ତାନରେ ଗତକାଲି ଅନୁଷ୍ଠିତ ସାଧାରଣ ନିର୍ବାଚନ ମତଦାନର ଫଳାଫଳ ଆସିବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ କ୍ରିକେଟର୍‌ରୁ ରାଜନେତା ହୋଇଥିବା ଇମ୍ରାନ୍‌ ଖାନ୍‌ଙ୍କ ଦଳ ‘ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌’ ଆଗରେ ଚାଲିଛି। ନୱାଜ ଶରିଫ୍‌ଙ୍କ ଦଳ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌) ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଲାୱର ଭୁଟ୍ଟୋ ଜରଦାରୀଙ୍କ ପାକିସ୍ତାନ ପିପୁଲ୍‌ସ ପାର୍ଟି (ପିପିପି) ତୃତୀୟ ସ୍ଥାନରେ ରହିଛି।

ଗତକାଲି ନିର୍ବାଚନ ସରିବା ପରେ ଫଳାଫଳ ଘୋଷଣାରେ ବିଳମ୍ବକୁ ନେଇ ନୱାଜ୍‌ ଶରିଫ୍‌ଙ୍କ ଭାଇ ଶେହବାଜ୍‌ ଶରିଫ୍‌  ଆପତ୍ତି ଉଠାଇବା ସହ ସେନା ଉପରେ ଦୋଷ ଲଦିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ସେନା ଅନିୟମିତତା କରିଥିବା ଅଭିଯୋଗ କରିଛନ୍ତି। ଏପରି ଅଭିଯୋଗକୁ ପାକିସ୍ତାନ ନିର୍ବାଚନ କମିଶନର ଖଣ୍ଡନ କରିବା ସହ ବୈଷୟିକ ସମସ୍ୟା ଯୋଗୁ ଫଳାଫଳ ଘୋଷଣାରେ ବିଳମ୍ବ ହେଉଥିବା କହିଛନ୍ତି। ଏହାସହ କମିଶନର ଶେହବାଜ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରସ୍ତୁତ ହେଉଛି।

ତେବେ ଆସନ୍ତୁ ଜାଣିବା ପାକିସ୍ତାନ ନିର୍ବାଚନକୁ ନେଇ ୯ଟି ବିଶେଷ କଥା।

୧. ଗତ କାଲିରାତି ସୁଦ୍ଧା ୩୦ ପ୍ରତିଶତ ଭୋଟ୍‌ ଗଣତି ହୋଇଛି। ଏଥିରୁ ଇମ୍ରାନ୍‌ଙ୍କ ଦଳ ‘ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌’ ୧୧୪ଟି ଆସନରେ ଆଗରେ ଥିବା ନିର୍ବାଚନ କମିଶନର କହିଛନ୍ତି।

୨. ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନୱାବ (ପିଏମ୍‌ଏଲ୍‌-ଏନ୍‌) ୬୪ ଆସନରେ ଆଗରେ ଅଛି। ପାକିସ୍ତାନ ପିପୁଲ୍‌ସ ପାର୍ଟି (ପିପିପି) ୪୨ଟି ଆସନରେ ଆଗରେ ଅଛି।

୩. ନିର୍ବାଚନ କମିଶନଙ୍କ ସେକ୍ରେଟାରୀ ବାବର ୟାକ୍ୟୁବ କହିଛନ୍ତି, ଟେକ୍‌ନିକାଲ୍‌ ସମସ୍ୟା ଯୋଗୁ ଅନ୍ତିମ ଫଳାଫଳ ଘୋଷଣାରେ ଡେରି ହୋଇଛି। ଏଥିରେ କୌଣସି ଷଡ଼ଯନ୍ତ୍ର ନାହିଁ କି କେହି ଚାପ ପକାଇ ନାହାନ୍ତି। ରେଜଲ୍ଟ ଟ୍ରାନ୍ସମିସନ୍‌ ସିଷ୍ଟମ୍‌ ଖରାପ ହୋଇଯିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି।

୪. ଇମ୍ରାନ୍‌ଙ୍କ ଦଳ ୧୧୪ ଆସନରେ ଆଗରେ ରହିଛି। ପୂର୍ଣ୍ଣ ବହୁମତ ପାଇଁ ୧୩୭ଟି ଆସନରେ ଦଳକୁ ଜିତିବାକୁ ପଡ଼ିବ। ଯଦି ଦଳ ପୂର୍ଣ୍ଣ ବହୁମତଠାରୁ କିଛି ଆସନ କମ୍‌ ପାଏ, ତେବେ ଛୋଟ ଦଳ ଓ ସ୍ୱାଧୀନ ଭାବେ ଜିତିଥିବା ସାଂସଦଙ୍କ ସହ ମେଣ୍ଟ କରିବାର ସମ୍ଭାବନା ରହିଛି।

୫. ଶେହବାଜ୍‌ ଭୋଟ୍‌ ଗଣତି ପ୍ରକ୍ରିୟାକୁ ଗ୍ରହଣ କରିପାରିନାହାନ୍ତି। ଏଥିରେ ଅନିୟମିତତା ହୋଇଥିବା ସେ ଅଭିଯୋଗ କରିବା ସହ ବୁଥ୍‌ରୁ ସେନା ଏଜେଣ୍ଟଙ୍କୁ ବାହାର କରି ଦେଇଥିଲା ବୋଲି କହିଛନ୍ତି।

୬.  ଗଣତି ଚାଲିଥିବା ବେଳେ ଏକ ଗଣମାଧ୍ୟମକୁ ଶେହବାଜ୍‌ କହିଥିଲେ, “ଏହା ଲୋକଙ୍କ ଜନମତକୁ ଅପମାନ। ଆମେ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରୁଛୁ। ଏହା ପାକିସ୍ତାନରେ ଗଣତନ୍ତ୍ରକୁ ଏକ ବଡ଼ ଝଟ୍‌କା।”

୭. ମୋଟ ୨୭୨ ଆସନ ପାଇଁ ୩୦ଟି ରାଜନୈତିକ ଦଳ ପ୍ରାର୍ଥୀ ଛିଡ଼ା କରିଥିଲେ। ମୋଟ ୩୪୫୯ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେହିପରି ୪ଟି ପ୍ରାନ୍ତ- ପଞ୍ଜାବ, ସିନ୍ଧ, ବେଲୁଚିସ୍ତାନ ଓ ଖୈବର ପଖ୍‌ତୁନ୍‌ଖ୍ୱାର ୫୭୭ ବିଧାନସଭା ଆସନ ପାଇଁ ମୋଟ ୮୩୯୬ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ।

୮. ଏହି ନିର୍ବାଚନରେ ଆତଙ୍କୀ ଗୋଷ୍ଠୀ ବହୁ ମାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଆତଙ୍କବାଦୀ ଓ କଠୋରପନ୍ଥୀ ଦଳରୁ ୪୬୦ ଜଣ ପ୍ରାର୍ଥୀ ହୋଇଥିଲେ। ଏଥିର ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସଇଦ ପୂରା ଦମ୍‌ରେ ନିର୍ବାଚନକୁ ଓହ୍ଲାଇଥିଲା। ହାଫିଜ୍‌ ୨୬୫ଟି ଆସନ୍‌ରେ ପ୍ରାର୍ଥୀ ଦେଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଆସିଥିବା ସୂଚନାରୁ ଜଣାପଡ଼ିଛି ଯେ ହାଫିଜ୍‌ର ଦଳକୁ ପାକିସ୍ତାନର ଲୋକେ ପ୍ରତ୍ୟାଖାନ କରିଛନ୍ତି। ତା’ ଦଳ ଗୋଟିଏ ବି ଆସନରେ ଆଗୁଆ ନାହିଁ।

୯. ଗତକାଲି ଭୋଟ୍‌ ଗ୍ରହଣ ଆରମ୍ଭ ହେବାର କିଛି ଘଣ୍ଟା ପରେ ବେଲୁଚିସ୍ତାନର କ୍ୱେଟା ଅଞ୍ଚଳରେ ଏକ ବୁଥ୍‌ରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା।  ଏଥିରେ ୩୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍ ନିଜକୁ ଦାୟୀ କରିଥିଲା।