ସିପିଏମ୍ କର୍ମୀଙ୍କୁ ହତ୍ୟା ମାମଲା: ୯ ବିଜେପି ଓ ଆରଏସଏସ କର୍ମୀଙ୍କୁ ଆଜୀବନ କାରାଦଣ୍ଡ

କନ୍ନୁର: କେରଳର କନ୍ନୁର ଜେଲ ଭିତରେ ଜଣେ ସିପିଆଇ-ଏମ୍ କର୍ମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୯ ଜଣ ବିଜେପି ଓ ଆରଏସଏସ କର୍ମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ଥାନୀୟ କୋର୍ଟ। ଏଥିସହ ଏହି ୯ ହତ୍ୟାକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସିପିଆଇ-ଏମ୍ କର୍ମୀ କେ.ପି ରବୀନ୍ଦ୍ରନ୍ କନ୍ନୁର ଜେଲରେ ବନ୍ଦୀ ଥିବା ବେଳେ ଦଳେ କଏଦୀ ସଙ୍ଘବଦ୍ଧ ଭାବରେ ତାଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ। ହସ୍ପିଟାଲକୁ ନେବା ବେଳେ ରବୀନ୍ଦ୍ରନଙ୍କର ମୃତ୍ୟୁ ଘଟିଥିଲା। ଏପ୍ରିଲ୍ ୬, ୨୦୦୪ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାରେ ଜେଲରେ ଥିବା ୩୧ ଜଣ କଏଦୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା। ହେଲେ କୋର୍ଟ ୯ ଜଣଙ୍କୁ ଏହି ହତ୍ୟାକାଣ୍ଡ ପାଇଁ ଦାୟୀ କରି ଦଣ୍ଡିତ କରିଛନ୍ତି।