ଟ୍ରମ୍ପଙ୍କୁ ଚିଠି ଲେଖି ଅଡ଼ୁଆ ପ୍ରଶ୍ନ ପଚାରିଲେ ୯ ବର୍ଷର ବାଳକ; ତା’ପରେ କ’ଣ ହେଲା ଜାଣନ୍ତି?

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି ୯ ବର୍ଷର ବାଳକ ଡିଲନ୍। ତାଙ୍କର ଏହି ଚିଠି ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି। ଥାର୍ଡ ଗ୍ରେଡ୍‌ରେ ପଢ଼ୁଥିବା ଡିଲନ୍ ତାଙ୍କ ଚିଠରେ ଉଲ୍ଲେଖ କରିଛନ୍ତି ଯେ ଟ୍ରମ୍ପ୍ ତାଙ୍କର ପସନ୍ଦର ରାଷ୍ଟ୍ରପତି। ତେଣୁ ତାଙ୍କ ଜନ୍ମ ଦିନ ବି ଟ୍ରମ୍ପ ଥିମ୍‌ରେ ପାଳନ କରାଯାଇଥିଲା। ଏହାସହିତ ଜନ୍ମ ଦିନ କେକ୍‌ର ଆକାର ଟ୍ରମ୍ପଙ୍କ ଟୋପି ପରି ଥିଲା।

ସେ ଚିଠିରେ ଟ୍ରମ୍ପଙ୍କୁ ତାଙ୍କ ବୟସ ସଂପର୍କରେ ପଚାରିଛନ୍ତି। ତା’ସହିତ ଆହୁରି ଅନେକ ପ୍ରଶ୍ନ ପଚାରିଛନ୍ତି। ସେ ପଚାରିଛନ୍ତି,“ହ୍ୱାଇଟ୍ ହାଉସ୍ କେତେ ବଡ଼? ଆପଣଙ୍କ ନିକଟରେ କେତେ ଟଙ୍କା ରହିଛି? ମୋ ସହିତ ବନ୍ଧୁତା କରିବେ କି?”

ଏସବୁ ସହିତ ଟ୍ରମ୍ପଙ୍କୁ ଲୋକେ କାହିଁକି ପସନ୍ଦ କରୁ ନାହାଁନ୍ତି ବୋଲି ସେ ଚିଠିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡିଲନ୍‌ଙ୍କ ବନ୍ଧୁତାକୁ ସ୍ୱୀକାର କରିଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଡିଲନ୍ ଓ ତାଙ୍କ ପରିବାରକୁ ରାଷ୍ଟ୍ରପତି ଭବନ ବୁଲିବାକୁ ନିମନ୍ତ୍ରଣ କରାଯାଇଛି।