ଲିଫ୍ଟରେ ଛନ୍ଦି ହୋଇ ୯ ବର୍ଷ ବୟସ୍କା ବାଳିକାର ମୃତ୍ୟୁ

ହାଇଦ୍ରାବାଦ: ଲିଫ୍ଟରେ ଫଶିଯିବାରୁ ଗତକାଲି ଜଣେ ୯ ବର୍ଷ ବୟସ୍କା ଝିଅର ମୃତ୍ୟୁ ଘଟିଛି। ଗତକାଲି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ ସମୟରେ ହାଇଦ୍ରାବାଦ ବାହାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ୍ ଆକସ୍ମିକ ମୃତ୍ୟୁ ଦର୍ଶାଇ ମାମଲା ରୁଜୁ କରିଛି।

ହାଇଦ୍ରାବାଦରେ ହସ୍ତିନାପୁରମ ନର୍ଥ ଏକ୍ସଟେନଶନ କଲୋନୀ ରହିଛି। ଏହି କଲୋନୀରେ ଏକ କୋଠାରେ ତୃତୀୟ ମହଲାକୁ ଯିବା ପାଇଁ ଲିଫ୍ଟରେ ଅପେକ୍ଷା କରିଥିଲେ ଚନ୍ଦ୍ରଶେଖର ଯାଦବ ଏବଂ ତାଙ୍କ ପରିବାର ଲୋକେ। ନିକଟରେ ସେମାନେ ଏହି କୋଠାକୁ ସ୍ଥାନାନ୍ତରିତ ହୋଇଥିଲେ। ଝିଅ ଲସାୟା ଯାଦବଙ୍କୁ ଛାଡ଼ି ସମସ୍ତ ପରିବାର ଲୋକେ ଲିଫ୍ଟରେ ତୃତୀୟ ମହଲାରେ ଥିବା ତାଙ୍କ ଘରକୁ ପ୍ରଥମେ ଯାଇଥିଲେ। ଏହାପରେ ଲସାୟା ଲିଫ୍ଟରେ ତତୀୟ ମହଲାକୁ ଯିବେ ବୋଲି ଅପେକ୍ଷା କରିଥିଲେ। ଲିଫ୍ଟଟି ଆସିବା ପରେ ସେ ପଶିଥିଲେ ହେଲେ ତାଙ୍କ ଗୋଡ଼ ଲିଫ୍ଟର କବାଟ ଏବଂ ଡକ୍ଟ ମଝିରେ ଛନ୍ଦି ହୋଇଯାଇଥିଲା। ଏହାପରେ କବାଟଟି ଅଧା ବନ୍ଦ ହୋଇଥିଲେ ମଧ୍ୟ ଲିଫ୍ଟଟି ତୃତୀୟ ମହଲାକୁ ଯିବା ପାଇଁ ଆରମ୍ଭ କରିଥିଲା। ଫଳରେ ଲସାୟଙ୍କ ଶରୀର ଗ୍ରାଉଣ୍ଡ ଫ୍ଲୋରର ଛାତ ସହ ଘସି ହୋଇଯାଇଥିଲା। ଏହାପରେ ଲିଫ୍ଟଟି ଆଉ କାମ କରିନଥିବା ଜଣାପଡ଼ିଛି।

ଏହାପରେ ସଙ୍ଗେସଙ୍ଗେ ଲସାୟାଙ୍କ ବାପା ଚନ୍ଦ୍ରଶେଖର ଯାଦବ ଆମ୍ବୁଲାନ୍ସ ଏବଂ ଲିଫ୍ଟ ଚାଳକଙ୍କୁ ହାକିଥିଲେ। ପାଖାପାଖି ଦୁଇ ଘଣ୍ଚା ପରେ ଲସାୟାଙ୍କୁ ଲିଫ୍ଟ ଭିତରୁ ଉଦ୍ଧାର କରାଯାଇଥିଲା। ଏହାପରେ ହସ୍ପିଟାଲକୁ ନିଆଯାଇଥିଲା ଲସାୟାଙ୍କୁ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା ବୋଲି ଡାକ୍ତର ଘୋଷଣା କରିଥିଲେ। ଏହାପରେ ପୁଲିସ୍ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଛି।