ପ୍ରକୃତିର ତାଣ୍ଡବ: ୯ ରାଜ୍ୟରେ ୫୫ ମୃତ, ପାକିସ୍ତାନରେ ୩୯ ମୃତ

ନୂଆଦିଲ୍ଲୀ: ପ୍ରକୃତିର କରାଳ ତାଣ୍ଡବରେ କ୍ଷତିଗ୍ରସ୍ତ ହୋଇଛି ଭାରତ ଓ ପଡ଼ୋଶୀ ପାକିସ୍ତାନ। ଉଭୟ ଦେଶର ବିଭିନ୍ନ ସ୍ଥାନରେ ବର୍ଷା, ଝଡ଼ ଓ ବିଜୁଳି ମାଡ଼ରେ ୯୪ ଜଣ ଲୋକଙ୍କ ଜୀବନ ଯାଇଛି। ଭାରତର ୯ଟି ରାଜ୍ୟରେ ୫୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାକିସ୍ତାନରେ ୩୯ ଜଣ ପ୍ରାଣ ହରାଇଛନ୍ତି।

ଭାରତ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାରଖଣ୍ଡ, ହିମାଚଳ, ହରିଆଣା ଓ ନୂଆଦିଲ୍ଲୀରେ ବର୍ଷା, ଝଡ଼ବାତ୍ୟା ଓ ବିଜୁଳି ମାଡ଼ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ୫୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏଥିସହ ହେକ୍ଟର ହେକ୍ଟର ଫସଲ ନଷ୍ଟ ହୋଇଥିବା ବେଳେ ଘର ଭାଙ୍ଗି ଯାଇଛି। ପ୍ରକୃତିର ଏହି କରାଳ ରୂପରେ ସବୁଠାରୁ ଅଧିକ କ୍ଷୟକ୍ଷତି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜରାଟରେ ଦେଖିବାକୁ ମିଳିଛି। ଏହି ୩ ରାଜ୍ୟରେ ୪୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ୨୧ ଜଣଙ୍କ ଜୀବନ ଯାଇଥିବା ବେଳେ ମଧ୍ୟପ୍ରଦେଶରେ ୧୫ ଓ ଗୁଜରାଟରେ ୧୦ ଜଣଙ୍କ ଜୀବନ ଯାଇଛି। ସେହିପରି ମହାରାଷ୍ଟ୍ରରେ ୩ ଜଣ, ପଞ୍ଜାବରେ ୨ ଜଣ, ହରିଆଣା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ଏବଂ ହିମାଚଳ ପ୍ରଦେଶରେ ଜଣେ ଲେଖାଏ ବ୍ୟକ୍ତି ବର୍ଷା ଜନିତ ଅଘଟଣରେ ପ୍ରାଣ ହରାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ଏଥିସହ ସ୍ଥାନୀୟ ପ୍ରଶାସନକୁ କ୍ଷତିଗ୍ରସ୍ତଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ସନ୍ଧ୍ୟାରେ ହଠାତ୍‌ ଉତ୍ତର ଭାରତ ରାଜ୍ୟଗୁଡ଼ିକର ପାଗ ବଦଳି ଯାଇଥିଲା। ଚାହୁଁଚାହୁଁ ମେଘ ଘୋଟେଇ ଆସିବା ସହ ପ୍ରବଳ ବେଗରେ ପବନ ବୋହିଥିଲା। ପ୍ରବଳ ବର୍ଷା ଓ କୁଆ ପଥର ମାଡ଼ ସାଙ୍ଗକୁ ବିଜୁଳି ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା। କେଉଁଠି ଘର ଭୁଶୁଡ଼ି ପଡ଼ିଥିଲା ତ ଆଉ କେଉଁଠି ଗଛ ଉପୁଡ଼ି ରାସ୍ତାରେ ପଡ଼ି ଯାଇଥିଲା। ବୈଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବାରୁ ଏକାଧିକ ସହରରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। କଚ୍ଚା ଘରେ ରହୁଥିବା ଲୋକମାନେ ପ୍ରକୃତିର ଏହି ତାଣ୍ଡବରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କିଛି ଦିନ ହେଲା ଏହି ସବୁ ରାଜ୍ୟରେ ପ୍ରବଳ ଖରା ହେଉଥିଲା। କିନ୍ତୁ ପାକିସ୍ତାନରେ ହଠାତ୍‌ ପାଗ ବଦଳି ଯିବାରୁ ଏହାର ପ୍ରଭାବ ଉତ୍ତର ଭାରତ ଉପରେ ପଡ଼ିଥିଲା। ଏହି କାରଣରୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ଅନୁଭୂତ ହୋଇଛି। ତେବେ ଗୁରୁବାର ଠାରୁ ପାଗରେ ସୁଧାର ଆସିବା ସହ ଦିନର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ ବୋଲି ବିଭାଗ ଆକଳନ କରିଛି।

ଗତକାଲି ସନ୍ଧ୍ୟା ସମୟରେ ହଠାତ୍‌ ଗୁଜରାଟ୍‌ରେ ପାଗ ବଦଳିଥିଲା। ରାଜ୍ୟର ୩୩ଟି ଜିଲ୍ଲାରୁ ୧୮ଟିରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ପାଟଣ, ରାଜକୋଟ, ଆରାଭାଲି, ବାନ୍ସକଣ୍ଠ, ଅହମଦାବାଦ, ଗାନ୍ଧିନଗର, ସୁରେନ୍ଦ୍ରନଗର ଓ ମୋରବି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଓ ପବନ ବହିଥିଲା। ମହେଶନାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାନ୍ସକଣ୍ଠ ଓ ମୋରବି ଜିଲ୍ଲାରେ ଦୁଇ ଜଣ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି ରାଜକୋଟ୍‌ରେ ଗଛ ପଡ଼ି ଜଣଙ୍କ ଜୀବନ ଯାଇଥିବା ବେଳେ ଛିନ୍ଦମାଲରେ ବଜ୍ରପାତରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ମଧ୍ୟପ୍ରଦେଶର ଇନ୍ଦୋରରେ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବନ୍ଦୱାରରେ ୨ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ପବନର ଘଣ୍ଟାପ୍ରତି ବେଗ ୫୦ରୁ ୬୦ କିମି ରହିଥିଲା।

ରାଜସ୍ଥାନରେ ପବନର ଘଣ୍ଟାପ୍ରତି ବେଗ ୭୦ କିମି ରହିଥିବା ବେଳେ ଘନଘନ ବିଜୁଳି ମାଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। କେଉଁଠି ଦୋକାନର ଛାତ ଉଡ଼ି ଯାଇଥିଲା ତ ଆଉ କେଉଁଠି ତମ୍ବୁ ପାଲ ଛାରଖାର ହୋଇଯାଇଥିଲା। ସେହିପରି ଏକାଧିକ ସ୍ଥାନରେ ଗଛ ଭାଙ୍ଗି ଯିବା ସହ ବିଜୁଳି ଖୁଣ୍ଟ ଉପୁଡ଼ି ଯାଇଥିଲା। ଏହି ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ହରିଆଣା, ପଞ୍ଜାବ ଓ ଝାରଖଣ୍ଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ବର୍ଷା ସାଙ୍ଗକୁ ପବନ ବୋହିବାରୁ ଏକାଧିକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିଲା। ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷରେ ପାକିସ୍ତାନର ପଞ୍ଜାବ ପ୍ରଦେଶ, ଖାୟବର ପାଖତୁନଖ୍ୱା ଓ ବାଲୋଚିସ୍ତାନରେ ମୁଷଳ ଧାରେ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଠାରେ ୩୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୯ ଜଣ ଆହତ ହୋଇଛନ୍ତି। ୮୦ଟି ଘର ଭାଙ୍ଗି ଯାଇଛି। ବର୍ଷା ଓ ଘୂର୍ଣ୍ଣିଝଡ଼ ଯୋଗୁ ବାଲୋଚିସ୍ତାନ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।