ଅଣନିଶ୍ୱାସୀ ହୋଇ ପୁଅ କାର୍ ଡୋର୍ ପିଟୁଥିଲା, ବାପାମାଆ ଭାବିଲେ ସେ  ଖେଳୁଛି; ଦୁଇ ଘଣ୍ଟା ପରେ…

ଲକ୍ଷ୍ନୌ: ଘରେ ବାପାମାଆ ଥିଲେ। ଘର ବାହାରେ ଖେଳୁଥିଲା ୪ ବର୍ଷର ପୁଅ। ଖେଳୁ ଖେଳୁ ସେ କାର୍ ଭିତରେ ପଶି ଯାଇଥିଲା। ତେବେ ସେ କାର୍ ଭିତରେ ପଶିବା ପରେ ଡୋର୍ ଲକ୍ ହୋଇଯାଇଥିଲା। ସେ ଆଉ ବାହାରି ପାରି ନଥିଲା। ବାହାରେ ଜୋର୍ ଖରା ହେଉଥିଲା। ତେଣୁ ଛୁଆଟି ଅଣନିଶ୍ୱାସୀ ହୋଇଯାଇଥିଲା। ସେ କାର୍‌ର ଡୋର୍ ମଧ୍ୟ ପିଟିଥିଲା। କିନ୍ତୁ ବାପାମା’ ଭାବିଥିଲେ ସେ ଖେଳୁଛି। ଏତେଟା ଧ୍ୟାନ ଦେଇ ନଥିଲେ। ଦୁଇ ଘଣ୍ଟା ପରେ ଯେତେବେଳେ ଛୁଆଟିର ବାପା କୌଣସି ସ୍ଥାନକୁ ଯିବା ପାଇଁ ବାହାରିଲେ ଓ କାର୍‌ର ଡୋର୍ ଖୋଲିଲେ ପୁଅ ଝାଳନାଳ ହୋଇ ଅଚେତ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେ ପୁଅକୁ ଡାକ୍ତରଖାନା ନେଇ ଗଲେ। ତେବେ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ପୁଅର ଜୀବନ ଯାଇ ସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଶୁଣିବା ପରେ ବାପାମା’ଙ୍କ ହୋସ୍ ଉଡ଼ି ଯାଇଥିଲା। ଏମିତି ଢଙ୍ଗରେ ପୁଅକୁ ହରାଇବେ ବୋଲି ସେମାନେ ବିଶ୍ୱାସ କରିପାରୁ ନାହାଁନ୍ତି।

ଘଟଣାଟି ଗତକାଲି ଉତ୍ତର ପ୍ରଦେଶର ବହରାଇଚ୍ ଜିଲ୍ଲାରେ ଘଟିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ରାମେନ୍ଦ୍ର ତ୍ରିପାଠୀ କହିଛନ୍ତି ଯେ ଡାକ୍ତରଖାନା ଆଣିବା ପୂର୍ବରୁ ପିଲାଟିର ମୃତ୍ୟୁ ଘଟି ସାରିଥିଲା। କାର୍‌ଟି ଲକ୍ ହୋଇଯିବା ପରେ ପିଲାଟି ଅଣନିଶ୍ୱାସୀ ହୋଇଯାଇଥିଲା। ତେଣୁ ତାର ମୃତ୍ୟୁ ହୋଇଥିଲା।

କ’ଣ ଭୁଲ୍ ରହିଗଲା?
କୁହାଯାଉଛି ଛୁଆଟି ୨ ଘଣ୍ଟା ଧରି କାର୍ ଭିତରେ ରହିଥିଲା। ତା’ ମଧ୍ୟରେ ବାପାମା’ ଆସି ଥରେ ଯାଞ୍ଚ କରି ନେବା ଉଚିତ ହୋଇଥାଆନ୍ତା। ଏତେ ସମୟ ଧରି ଗୋଟିଏ ଚାରି ବର୍ଷର ଛୋଟ ଛୁଆ ଗୋଟିଏ ସ୍ଥାନରେ ଖେଳିବ ଓ ପାଟି ଶୁଭିବନି? ଏଥିପ୍ରତି ଟିକେ ଧ୍ୟାନ ଦେବା ଉଚିତ ହୋଇଥାଆନ୍ତା। ପୁଣି କାର୍‌ରେ ଏମିତି ଢଙ୍ଗରେ ଛୁଆମାନେ ମରିବା କିଛି ନୂଆ ନୁହେଁ। ପୂର୍ବରୁ ବି ଏଭଳି ଘଟଣା ଘଟିଛି। ଏଣୁ କାର୍ ଆଖପାଖରେ ପିଲା ଖେଳିଲେ ଟିକେ ଧ୍ୟାନ ଦେବା ଜରୁରୀ।

ଗତମାସରେ ବି ଘଟିଥିଲା ଏମିତି ଘଟଣା
ମେ’ ୧୪ ତାରିଖରେ ବି ଗୁଜରାଟର ସୁରଟରେ ଘଟିଥିଲା ଏମିତି ଏକ ଘଟଣା। ବନ୍ଦ କାର୍‌ ଭିତରେ ଅଣନିଶ୍ୱାସୀ ହୋଇ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ସେମାନେ ବି ଖେଳୁ ଖେଳୁ ଡୋର୍ ଲକ୍ ହୋଇ ନଥିବା ଏକ କାର୍ ଭିତରେ ବସି ଯାଇଥିଲେ। ସେମାନେ କାର୍ ଭିତରେ ପଶିବା ପରେ ତାହା ଲକ୍ ହୋଇଯାଇଥିଲା। ଛୁଆ ଦୁଇଟି ପ୍ରାୟ ୩୬ ଡିଗ୍ରୀ ତାପମାତ୍ରାରେ ୬ ଘଣ୍ଟା ଧରି ରହିଥିଲେ। ଏହି ସମୟ ମଧ୍ୟରେ ଅଣନିଶ୍ୱାସୀ ହୋଇ ସେମାନେ ପ୍ରାଣ ହରାଇ ସାରିଥିଲେ।