ନିର୍ଭୟା: ଆଉ ଜଣେ ଦୋଷୀର କ୍ୟୁରେଟିଭ ପିଟିସନ ଦାଖଲ

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଆଉ ଜଣେ ଦୋଷୀ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି। ଏ ସମ୍ପର୍କରେ ଆଜି ତିହାର ଜେଲ ପକ୍ଷରୁ ସୂଚନା ଦିଆଯାଇଛି।

ତିହାର ଜେଲର ଅଧିକାରୀ କହିଛନ୍ତି ଯେ ଦୋଷୀ ଅକ୍ଷୟ ସିଂହ ଠାକୁର ଆଜି ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି। ଏହାର ଶୁଣାଣି ଆସନ୍ତାକାଲି ହେବାର ସମ୍ଭାବନା ରହିଛି। ପୂର୍ବରୁ ଦୋଷୀ ମୁକେଶ କୁମାର ଓ ବିନୟ ଶର୍ମା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ତେବେ  କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ଅକ୍ଷୟର କ୍ୟୁରେଟିଭ ପିଟିସନ ମଧ୍ୟ ଖାରଜ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଅନ୍ୟତମ ଦୋଷୀ ପବନ ଗୁପ୍ତା ଏଯାଏ କ୍ୟୁରେଟିଭ ପିଟିସନ ଦାଖଲ କରିନାହିଁ। ତେଣୁ ସମସ୍ତଙ୍କୁ ଫେବୃଆରୀ ୧ରେ କେମିତି ଫାଶୀ ଖୁଣ୍ଟରେ ଝୁଲାଯିବ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅକ୍ଷୟର କ୍ୟୁରେଟିଭ ପିଟିସନ ଖାରଜ ହେଲେ, ସେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିପାରେ। ବର୍ତ୍ତମାନ ସୁଦ୍ଧା କେବଳ ମୁକେଶ ହିଁ ରାଜକ୍ଷମା ଆବେଦନ କରି ନିରାଶ ହୋଇଛି।

ଅନ୍ୟ ୩ ଦୋଷୀଙ୍କ ପାଖରେ ଏହି ରାଜକ୍ଷମା ଆବେଦନର ବିକଳ୍ପ ରହିଛି। ମୁକେଶ ରାଜକ୍ଷମା ଆବେଦନ ଖାରଜ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଆସନ୍ତାକାଲି କୋର୍ଟ ଏହାର ରାୟ ପ୍ରକାଶ କରିବେ।