ଆଇନ୍‌କୁ ବେଖାତିର: ଟ୍ରିପଲ ତଲାକ କହି ସ୍ୱାମୀ ଦେଲେ ଛାଡ଼ପତ୍ର

ଅହମଦାବାଦ: ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଇନ୍‌ଷ୍ଟାଣ୍ଡ ଟ୍ରିପଲ ତଲାକକୁ ବେଆଇନ୍‌ ଘୋଷଣା କରିବା ପାଇଁ ଆଗତ ବିଲ୍‌ ମଙ୍ଗଳବାର ରାଜ୍ୟସଭାରେ ପାସ୍‌ ହୋଇଥିଲା।

ଟ୍ରିପଲ ତଲାକ ଦେବା ଏବେ ଏକ ଦଣ୍ଡନୀୟ ଅପରାଧ। ତେବେ ବିଲ୍‌ ପାସ୍‌ ହେବାର ଗୋଟିଏ ଦିନ ପରେ ଆଜି ଗୁଜରାଟର ଅହମଦାବାଦ୍‌ରୁ ଟ୍ରିପଲ ତଲାକ କହି ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା ଅଭିଯୋଗ ହୋଇଛି। ଟ୍ରିପଲ ତଲାକ ପାଇବା ପରେ ପତ୍ନୀ ଜଣଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଛନ୍ତି।

ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ଶ୍ଵଶ୍ବର ଘର ଲୋକଙ୍କ ନାଁରେ ଥାନରେ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ସ୍ୱାମୀ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଘରର ଲୋନ ପରିଶୋଧ ନିମନ୍ତେ ଇଏମଆଇ ଟଙ୍କା ମାଗିଥିଲେ। ପତ୍ନୀ ଜଣଙ୍କ ଟଙ୍କା ନଥିବା କହିବାରୁ ସ୍ୱାମୀ ଜଣଙ୍କ ତାଙ୍କୁ ମାଡ଼ ମାରିଥିଲେ। ଏପରି କି ତାଙ୍କର ଦୁଇ ପିଲାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହାପରେ ପୀଡ଼ିତା ଜଣଙ୍କ ତାଙ୍କ ଦୁଇ ପିଲାଙ୍କୁ ଧରି ବାପ ଘରକୁ ଚାଲି ଯାଇଥିଲେ।

ଆଜି ସକାଳୁ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କ ଘରେ ପହଞ୍ଚି, ୩ଥର ତଲାକ ଉଚ୍ଚାରଣ କରି ଛାଡ଼ପତ୍ର ଦେଇ ଚାଲିଯାଇଥିଲେ। ଏଥିରେ ବିଚଳିତ ହୋଇ ତାଙ୍କ ପତ୍ନୀ ନିଜ ଉପରେ କିରାସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହି ଦମ୍ପତିଙ୍କ ବାହାଘର ୫ ବର୍ଷ ତଳେ ହୋଇଥିଲା। କିନ୍ତୁ ସ୍ୱାମୀ ଜଣଙ୍କ କିଛି ରୋଜଗାର କରୁ ନଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟ ସବୁଦିନ ଝଗଡ଼ା ହେଉଥିଲା।