ଫିଜିକାଲ୍‌ ଟେଷ୍ଟରେ ଡେଙ୍ଗା ଦେଖାଯିବାକୁ କରିଥିଲେ ଏମିତି ଫନ୍ଦି, ଧରାପଡ଼ିଲେ

ମିରଟ: ସବ୍‌-ଇନ୍ସପେକ୍ଟର ହେବା ପାଇଁ ଜଣେ ପ୍ରାର୍ଥୀଙ୍କ ଉଚ୍ଚତା ୧୬୮ ସେଣ୍ଟିମିଟର ହେବା ଆବଶ୍ୟକ। କିନ୍ତୁ ଅଙ୍କିତଙ୍କର ଉଚ୍ଚତା ହେଉଛି ୧୬୭ ସେଣ୍ଟିମିଟର। ଏକଥା ସେ ମଧ୍ୟ ଜାଣିଥିଲେ। ତେଣୁ ଫିଜିକାଲ୍‌ ଟେଷ୍ଟ ଦିନ ସେ ମୁଣ୍ଡରେ ମେହେନ୍ଦୀ ଲଗାଇ ତାଙ୍କ ଉଚ୍ଚତାକୁ ଆଉ ୧ ସେମି ବୃଦ୍ଧି କରିବାକୁ ଯୋଜନା କଲେ। ତେବେ ପୋଲିସ୍‌ଙ୍କୁ ସେ ଭୁଆଁ ବନାଇ ପାରିଲେ ନାହିଁ। ତାଙ୍କର ଚାଲାକି ଧରା ପଡିଯାଇଥିଲା। ପୋଲିସ ତାଙ୍କୁ ଗିରଫ କରିଛି। ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ।

ସୂଚନା ଅନୁଯାୟୀ, ଅଙ୍କିତ ସବ୍‌-ଇନ୍ସପେକ୍ଟର ଚାକିରି ପାଇଁ ହେଇଥିବା ଲିଖିତ ପରୀକ୍ଷାରେ ପାସ୍‌ କରିଥିଲେ।  ଶାରୀରିକ ପରୀକ୍ଷା ବା ଫିଜିକାଲ୍‌ ଟେଷ୍ଟରେ ପାସ୍‌ କରିବା ପାଇଁ ତାଙ୍କୁ ୧୬୮ସିଏମ୍‌ର ଉଚ୍ଚତା ଆବଶ୍ୟକ ଥିଲା। ଅଙ୍କିତ ଆବଶ୍ୟକ ଉଚ୍ଚତାରୁ ୧ସେମି କମ୍‌ ଥିଲେ। ତେଣୁ ପରୀକ୍ଷା ପୂର୍ବରୁ ସେ ଉଚ୍ଚତା ବୃଦ୍ଧି କରିବା ପାଇଁ ମେଡିସିନ୍‌ ଖାଇଥିଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ଉଚ୍ଚତା ଯାହାକୁ ସେୟା ରହିଲା। ଶେଷରେ ପରୀକ୍ଷା ଦିନ ଅଙ୍କିତ ମୁଣ୍ଡରେ ମେହେନ୍ଦୀ ଲଗାଇ ଚୁଟିକୁ କାଇଦାରେ କୁଣ୍ଡାଇ ଡେଙ୍ଗା ଦେଖାଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଚାଲାକି ଧରା ପଡ଼ିଯାଇଥିଲା। ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, “ଆମେ ମେସିନ୍‌ରେ ଅଙ୍କିତଙ୍କ ଉଚ୍ଚତା ପରୀକ୍ଷା କଲାବେଳେ ତାଙ୍କର କାରସାଦି ଧରା ପଡିଯାଇଥିଲା।”

ପଚରାଉଚରା ବେଳେ ଡେଙ୍ଗା ଦିଶିବାକୁ କେଶରେ ହେନା ଲଗାଇଥିବା କଥା ସ୍ୱୀକାର କରିଥିଲେ ଅଙ୍କିତ।

ସେ କହିଥିଲେ,“ମୁଁ ଉଚ୍ଚତା ବଢାଇବାକୁ ସବୁ ପ୍ରକାର ଉଦ୍ୟମ କରିଥିଲି। ହେଲେ ବିଫଳ ହୋଇଥିଲି। ମୁଁ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଏ ସୁଯୋଗ ଛାଡ଼ିବାକୁ ଚାହୁଁ ନ ଥିଲି। ତେଣୁ ଏମିତି କୌଶଳ କରି ଡେଙ୍ଗା ଦିଖାଯିବାକୁ ଚାହିଁଲି।”

ଅଙ୍କିତଙ୍କୁ ମୁଣ୍ଡରୁ ମେହେନ୍ଦୀ ଧୋଇବାକୁ କୁହାଯାଇଥିଲା। ତା’ପରେ ତାଙ୍କର ଉଚ୍ଚତା ମପା ଯାଇଥିଲା। ଏହି ପଦବୀ ପାଇଁ ଥିବା ସର୍ବନିମ୍ନ ଉଚ୍ଚତାଠୁ ତାଙ୍କ ଉଚ୍ଚତା ୧ସେଣ୍ଟିମିଟର କମ୍‌ ଥିଲା।

ଶେଷରେ ଅଙ୍କିତଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏହାସହ ଆଇପିସି ଧାରା ୪୨୦  ଆଧାରରେ ତାଙ୍କ ନାମରେ ସିଭିଲ୍‌ ଲାଇନ୍‌ସ୍‌ ଥାନାରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More