ଘରକୁ ଆସିଛି ୧୨୮ କୋଟି ୪୬ ଲକ୍ଷ ଟଙ୍କାର ମାସିକ ବିଦ୍ୟୁତ ବିଲ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାପୁର ଜିଲ୍ଲା ଚାମରି ଗାଁର ଶାମିନଙ୍କ ଘରକୁ ଏଭଳି ଏକ ବିଦ୍ୟୁତ ବିଲ୍ ଆସିଛି, ଯାହାକୁ ନେଇ ତାଙ୍କ ମୁଣ୍ଡରେ ପଡ଼ିଛି ଅକାଳ ଚଡ଼କ। ପ୍ରତିମାସ ୭୦୦ ରୁ ୮୦୦ ଟଙ୍କାର  ବିଦ୍ୟୁତ୍ ବିଲ୍ ଆସୁଥିଲା। କିନ୍ତୁ ଏଥର ଆସିଛି ୧୨୮ କୋଟି ୪୫ ଲକ୍ଷ ୯୫ ହଜାର ୪୪୪ ଟଙ୍କାର ବିଲ୍।ଏତେ ଟଙ୍କାର ବିଦ୍ୟୁତ୍ ବିଲ୍  ଆସିଥିବା ନେଇ ଶାମିନ ସ୍ଥାନୀୟ ଇଲେକ୍ଟ୍ରି ଅଫିସରେ ଅଭିଯୋଗ କରିଥିଲେ। କିନ୍ତୁ ବକେୟା ବିଲ୍ ପୈଠ ନକଲେ ନିୟମ ଅନୁସାରେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ଇଲେକ୍ଟ୍ରି ଅଫିସ ଅଧିକାରୀ କହିଛନ୍ତି। ତେଣୁ ଏବେ ଅନ୍ଧାର ଭିତରେ ରହୁଛନ୍ତି ଶାମିନ ଏବଂ ତାଙ୍କ ସ୍ତ୍ରୀ।

ଚାମରି ଗାଁର ଏହି ବୃଦ୍ଧ ବ୍ୟକ୍ତି କହିଛନ୍ତି ତାଙ୍କ ଘରେ ସେ ଏବଂ ତାଙ୍କ ସ୍ତ୍ରୀ ରୁହନ୍ତି। ପ୍ରତିମାସ ୭୦୦ରୁ ୮୦୦ ଟଙ୍କାର ବିଦ୍ୟୁତ୍ ସେ ବ୍ୟବହାର କରନ୍ତି। ହେଲେ ଚଳିତଥର ପୁରା ସହରର ଇଲେକ୍ଟ୍ରି ବିଲ୍ ବିଦ୍ୟୁତ୍ ବିଭାଗ ତାଙ୍କୁ ଧରେଇ ଦେଇଥିବା ସେ କହିଛନ୍ତି।

ଏ ନେଇ ସ୍ଥାନୀୟ ଇଲେକ୍ଟ୍ରିକାଲ ଇଞ୍ଜିନିୟର ରାମ ଶରନ କହିଛନ୍ତି ବୈଷୟିକ ତ୍ରୁଟି ଯୋଗୁ ଏଭଳି ହୋଇଛି। ଅନ୍ୟପକ୍ଷେ ଏଭଳି ଏକ ବିଲ୍ ଆସିଥିବା ନେଇ ଲକ୍ଷ୍ନୌସ୍ଥିତ ଶକ୍ତି ବିଭାଗର କାର୍ଯ୍ୟାଳୟ ଜାଣିନଥିବା କହିଛି। ଶକ୍ତି ବିଭାଗର ଜଣେ ଅଧିକାରୀ କହିଛନ୍ତି ଏ ସମ୍ପର୍କରେ ତାଙ୍କ ପାଖରେ ଖବର ନାହିଁ। ଏହା କୌଣସି ବୈଷୟିକ ତ୍ରୁଟି ଯୋଗୁ ଘଟିଥାଇ ପାରେ ଓ ଯଦି ଏ ସଂକ୍ରାନ୍ତ ଅଭିଯୋଗ ଆସେ, ତା’ର ଉଚିତ ସମାଧାନ ତୁରନ୍ତ କରାଯିବ ବୋଲି ସେ କହିଛନ୍ତି।