ଗାଡ଼ି ଚଲାଇବା ବେଳେ ଚକାରେ ଲାଗିଗଲା କେଶ, ତା ପରେ…

ନାରୀଟିଏ ଆକର୍ଷଣୀୟ ଦିଶିବାର ଅନ୍ୟଏକ ମୁଖ୍ୟ କାରଣ ମଧ୍ୟ ତା କେଶ ବିନ୍ୟାସ। ଏହା ତା ସୌନ୍ଦର୍ଯ୍ୟର ଅନ୍ୟତମ ଆଧାର। ଏପରିକି ଝିଅଙ୍କ ଚୁଟି ବା କେଶକୁ ନେଇ ସାହିତ୍ୟରେ ରଚନା ହୋଇଛି ଅନେକ କାବ୍ୟ କବିତା। ପ୍ରେମିକମାନେ ପ୍ରେମିକାଙ୍କ କେଶବିନ୍ୟାସରେ ଆକର୍ଷିତ ହେବା ଏକ ସାଧାରଣ ଘଟଣା। ତେଣୁ ପ୍ରତି ଝିଅର ସ୍ୱପ୍ନ ଥାଏ, ସେ ବି ହେଉ ସୁନ୍ଦର କେଶର ଅଧିକାରିଣୀ। କିନ୍ତୁ ଏହି କେଶ ଯେ କୌଣସି ଝିଅ ପାଇଁ କାଳ ହୋଇପାରେ, ତାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଏମିତି ଏକ ଘଟଣା ଘଟିଥିଲା ହରିଆଣାରେ। ପଢ଼ନ୍ତୁ ପୂରା ଘଟଣା।

ହରିଆଣାର ପିଁଜୋରରେ ଘଟିଛି ଏକ ଦୁର୍ଭାଗ୍ୟଜନକ ଘଟଣା। ପୁନିତ୍‌ କୌର ନାମକ ଜଣେ ମହିଳାଙ୍କ ପାଇଁ ତାଙ୍କ ଚୁଟି ବା କେଶ ହିଁ ପାଲଟିଛି କାଳ। ମହିଳା ଜଣକ ନିଜ ସ୍ୱାମୀ ଓ ପିଲାଙ୍କୁ ନେଇ ଟିକିଏ ଅବସର ସମୟ କାଟିବାକୁ ଯାଇଥିଲେ, ତାଙ୍କ ଘରଠାରୁ କିଛି ଦୂରରେ ଥିବା ଏକ ପାର୍କକୁ। କିନ୍ତୁ ପୁନିତ୍ ଜାଣି ନଥିଲେ ଯେ, ସେ ସବୁଦିନ ପାଇଁ ଜୀବନରୁ ଅବସର ନେଇଯିବେ ବୋଲି। ପାର୍କରେ ଥିବା ଆକ୍ୱା ଭିଲେଜ୍‌ସ୍ଥିତ ୱାଟର ପାର୍କ ଯାଇ ଡ୍ରାଇଭ୍‌ର ମଜା ନେବାକୁ ସେମାନେ ମନ ବଳେଇଲେ। ସେଠାରେ ଥିବା ଗୋ-କାର୍ଟ ଗାଡିକୁ ପୁନିତ୍‌ଙ୍କ ସ୍ୱାମୀ ଚଲାଇଲେ ଓ ତାଙ୍କ ପାଖରେ ବସିଲେ ପୁନିତ୍‌। ଉଭୟ ଗାଡିରେ ବସି କଥା ହେଉଥିଲେ ଓ ଡ୍ରାଇଭ୍‌ର ମଜା ନେଉଥିଲେ। ହେଲେ କଥା ଆଳରେ ଜଣା ପଡିଲାନି କେତେବେଳେ ପୁନିତ୍‌ଙ୍କ ଚୁଟି ଉଡ଼ି ଗାଡ଼ିର ଟାୟାରରେ ଲାଗିଗଲା। କେହି କିଛି ଜାଣିବା ଆଗରୁ ହଠାତ୍ ପୁନିତ୍‌ ଘୋଷାଡ଼ି ହୋଇ ତଳେ ପଡ଼ିଗଲେ। ଗୁରୁତର ଭାବେ ଆହତ ପୁନିତ୍‌ଙ୍କୁ ସଙ୍ଗେସଙ୍ଗେ ମେଡିକାଲ ନିଆଯାଉଥିଲା। କିନ୍ତୁ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଲା।

ପୁନିତ୍‌ଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ ସୁରକ୍ଷୀ ପାଇଁ ତାଙ୍କୁ ଏକ ହେଲ୍‌ମେଟ୍‌ ପିନ୍ଧିବାକୁ ଦିଆ ଯାଇଥିଲା। କିନ୍ତୁ ସେ ହେଲ୍‌ମେଟ୍‌ର ପେଚ ଖରାପ ଥିଲା। ତେଣୁ ପୁନିତ୍‌ଙ୍କର ଚୁଟି ଖୋଲିଯାଇ ଚକାରେ ଲାଗିଗଲା। ଏଥିପାଇଁ ପାର୍କରେ କାମ କରୁଥିବା କର୍ମଚାରୀଙ୍କୁ ଦୋଷ ଦେଇ ତାଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପୁନିତ୍‌ଙ୍କ ସ୍ୱାମୀ।