ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ଫେରାର ମାଷ୍ଟର୍ ମାଇଣ୍ଡ୍ ନିରବ ମୋଦି ଏବେ ଆମେରିକାରେ

ନୂଆଦିଲ୍ଲୀ: ଆମେରିକାର ନ୍ୟୁୟର୍କରେ ଥାଇପାରନ୍ତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇ ମାମଲାର ଫେରାର୍ ମାଷ୍ଟର୍ ମାଇଣ୍ଡ୍ ନିରବ ମୋଦି। ମ୍ୟାନହାଟନର ଏକ ବିଳାସପୂର୍ଣ୍ଣ ହୋଟେଲରେ ସେ ରହୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହି ହୋଟେଲ ତାଙ୍କ ମ୍ୟାଡିସନ୍ ଆଭିନ୍ୟୁ ଜୁଏଲାରୀ ଷ୍ଟୋରଠାରୁ ଅଳ୍ପ କିଛି ଦୂରରେ ରହିଛି। ଭାରତର ଦ୍ୱିତୀୟ ବିଜୟ ମାଲ୍ୟା କୁହାଯାଉଥିବା ନିରବ ମୋଦି ଲେଟର ଅଫ୍ ଅଣ୍ଡରଷ୍ଟାଣ୍ଡିଂ ବଳରେ ପିଏନବିରୁ ୧୧ ହଜାର ୩ଶହ କୋଟି ଠକି ନେଇଥିବା ଅଭିଯୋଗ ହୋଇଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଗତକାଲି ନିରବ ଓ ତାଙ୍କ ସଂପର୍କୀୟଙ୍କ ବିଭିନ୍ନ ସ୍ଥାନରେ ଥିବା ଘର ଓ ଅଫିସ ଉପରେ ରେଡ୍ କରିଥିଲା।  ମୁମ୍ବାଇ, ସୁରତ ସମେତ ମୋଦିଙ୍କ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନରେ ଇଡି ରେଡ୍  କରି ପ୍ରାୟ ୫ ହଜାର ୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏପଟେ ସିବିଆଇ ନିରବଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିବା ସହ କିଛି ବ୍ୟାଙ୍କ ଅଧିକାରୀଙ୍କୁ ଜେରା କରିଛି।  ହୀରା ଗହଣା ବ୍ୟବସାୟୀ ନିରବ ମୋଦି ପିଏନବିର ଦୁଇ ଅଧିକାରୀଙ୍କ ସହାୟତାରେ ଏହି ଜାଲିଆତି କରିଥିବା ଅଭିଯୋଗ ରହିଛି।