ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଗାଡ଼ି ଦୁର୍ଘଟଣାକୁ ନେଇ ସନ୍ଦେହ, ତଦନ୍ତ କରିବ ସିବିଆଇ!

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ କାର ଦୁର୍ଘଟଣାର ତଦନ୍ତ ସିବିଆଇ କରିବ ବୋଲି ଜଣାପଡ଼ିଛି। ଉତ୍ତର ପ୍ରଦେଶ ପୁଲିସ୍ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିବ।

ପୀଡ଼ିତାଙ୍କ ପରିବାର ଲୋକ ଘଟଣାର ସିବିଆଇ ତଦନ୍ତ ଦାବି କରିବା ପରେ ଉତ୍ତର ପ୍ରଦେଶ ପୁଲିସ୍‌ ଏହି ଦାବିକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଇଛି। ସରକାର ଏବେ ସିବିଆଇ ତଦନ୍ତ ପାଇଁ ସୁପାରିସ କରିବେ ବୋଲି ଆଶା କରାଯାଉଛି। ତେବେ ଏହି ରିପୋର୍ଟ ଏଯାଏ କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚି ନାହିଁ।

ଉନ୍ନାଓର ଜଣେ ନାବାଳିକାଙ୍କ ସହ ବିଜେପି ବିଧାୟକ କୁଲଦୀପ ସେନଗାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତବର୍ଷ ଏହି ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଏବେ କୁଲଦୀପ ଜେଲ୍‌ରେ ରହିଛନ୍ତି।

ଗତକାଲି ପୀଡ଼ିତା, ତାଙ୍କର ଦୁଇ ମାଉସୀ ଓ ତାଙ୍କ ଓକିଲଙ୍କ ସହ କାରରେ ଯାଉଥିଲେ। ଏହି ସମୟରେ ରାଏବରେଲୀ ଠାରେ ଏକ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କ କାର୍‌ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ପୀଡ଼ିତାଙ୍କ ଦୁଇ ଜଣ ମାଉସୀ ପ୍ରାଣ ହରାଇଥିଲେ।

ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ରାଜନୀତିକ ହଟଚମଟ ମଧ୍ୟ ସୃଷ୍ଟି ହୋଇଛି। ଏହି ଘଟଣା ପଛରେ ଅଭିଯୁକ୍ତ ବିଜେପି ବିଧାୟକଙ୍କ ହାତ ଥିବା ବିରୋଧୀ ଅଭିଯୋଗ କରିଛନ୍ତି।

ଉନ୍ନାଓ ପୀଡ଼ିତାଙ୍କ ମା’ କହିଛନ୍ତି, “ଏହା ଦୁର୍ଘଟଣା ନଥିଲା। ଆମ ପରିବାରକୁ ମୂଳପୋଛ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଶାହି ସିଂହଙ୍କ ପୁଅ ଓ ତାଙ୍କ ସମର୍ଥକମାନେ ଆମକୁ ବାରମ୍ବାର ଧମକ ଦେଉଥିଲେ। ତେଣୁ ସେମାନେ ହିଁ ଏଭଳି ଘଟଣା ଘଟାଇଛନ୍ତି।”