ହିନ୍ଦୁ ନେତାଙ୍କୁ ହତ୍ୟା ଘଟଣା: ଆଧାର କାର୍ଡ ଫର୍ଜି କରିଥିଲା ଅଭିଯୁକ୍ତ

ଲକ୍ଷ୍ନୌ: ହିନ୍ଦୁତ୍ୱବାଦୀ ନେତା କମଲେଶ ତିୱାରୀଙ୍କ ହତ୍ୟା ଘଟଣାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ବାବାଦରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ଆଶଫାକ ଶେଖ୍‌ ମୃତ କମଲେଶଙ୍କ ହିନ୍ଦୁ ସଂସ୍ଥାରେ ଯୋଗଦେବା ପାଇଁ ଆଧାର କାର୍ଡରେ ଫର୍ଜି କରିଥିଲା। ସେ ତା’ର ଜଣେ ବନ୍ଧୁ ରୋହିତ ସୋଲାଙ୍କିର ଆଧାର କାର୍ଡରେ ନିଜ ଫଟୋ ଲଗାଇ ନିଜକୁ ମୁସଲିମରୁ ହିନ୍ଦୁ ବୋଲି ପରିଚୟ ହାସଲ କରିଥିବା ତଦନ୍ତ ବେଳେ ସାମ୍ନାକୁ ଆସିଛି।

ଖାଲି ସେତିକି ନୁହେଁ ନିଜକୁ ହିନ୍ଦୁ ବୋଲି ସମସ୍ତଙ୍କୁ ଅବଗତ କରାଇବା ପାଇଁ ସେ ରୋହିତ ସୋଲାଙ୍କି ନାଁରେ ଗୋଟିଏ ଫେସବୁକ୍‌ ଆକାଉଣ୍ଟ ମଧ୍ୟ ଖୋଲିଥିଲା। ତେବେ ଏଥିରେ ସେ ନିଜ ଫଟୋକୁ ହିଁ ଦେଇଥିଲା। ସେ ଫେସବୁକରେ ପ୍ରଥମେ ହିନ୍ଦୁ ସମାଜ ପାର୍ଟିର ଗୁଜରାଟ ସଭାପତି ଜାମିନ ଡାଭେଙ୍କ ସହ ବନ୍ଧୁତା କରିଥିଲା।

ସେ ହିଁ ରୋହିତ ଓରଫ ଆଶଫାକକୁ ହିନ୍ଦୁ ସଂଗଠନରେ ସାମିଲ କରିଥିଲେ। ଜୁନ୍‌ ମାସରେ ସେ ସୁରତ ଆଇଟି ସେଲର ପ୍ରଚାରକ ହୋଇଥିଲା। କିଛି ଦିନ ପରେ ଡାଭେ ଆଧାର କାର୍ଡ ଫର୍ଜି ଥିବା ସନ୍ଦେହ କରିଥିଲେ। ଏହାପରେ ସେ ଉକ୍ତ ଆଧାର କାର୍ଡକୁ ଗୁଜରାଟ ଏଟିଏସକୁ ଦେଇଥିଲେ।

ଗତ ଶୁକ୍ରବାର କମଲେଶଙ୍କୁ ଲକ୍ଷ୍ନୌରେ ହତ୍ୟା କରାଯାଇଥିଲେ। ସେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ୨୦୧୫ରେ ଦେଇଥିଲେ। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।