ଅଚାନକ ନୁହେଁ, ସଫଳ ନୀତି ଯୋଗୁଁ ହିଁ ଭାରତର ବିକାଶ ହୋଇଛି: ମୋଦି

କୁଆଲାଲମ୍ପୁର: ଅଚାନକ ନୁହେଁ, ସଫଳ ନୀତି ଯୋଗୁଁ ହିଁ ଭାରତର ବିକାଶ ହୋଇଛି। ମାଲେସିଆ କୁଆଲାଲମ୍ପୁରରେ ଶନିବାର ଅନୁଷ୍ଠିତ ଆସିଆନ ବାଣିଜ୍ୟ ନିବେଶ ସମ୍ମିଳନୀରେ ଅଭିଭାଷଣ ରଖି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଏସୀୟ ରାଷ୍ଟମାନଙ୍କ ସହ ଭାରତର ସମ୍ପର୍କ ବହୁ ପୁରୁଣା। ଦକ୍ଷିଣ ଏସିଆ ଏବେ ବିଶ୍ୱ ମାନଚିତ୍ରରେ ପ୍ରଭାବିତ ଅଞ୍ଚଳରେ ରୂପାନ୍ତରିତ ହୋଇଛି। ଏଥିପାଇଁ ଆସିଆନ ରାଷ୍ଟ୍ର ସମୁହ ନେତାମାନଙ୍କ ଭୂମିକା ପ୍ରଶଂସନୀୟ।

ମୋଦି କହିଛନ୍ତି, ଚୀନ୍ ଭଳି ଜନବହୁଳ ରାଷ୍ଟ୍ରଠାରୁ ଆରମ୍ଭ କରି କ୍ଷୁଦ୍ର ରାଷ୍ଟ୍ରଗୁଡ଼ିକ ମଧ୍ୟ ଦ୍ରୁତ ବିକାଶ କରିଛନ୍ତି। ବିକାଶ ଲାଗି ବହୁଳ ଜନସଂଖ୍ୟା ନୁହେଁ ବରଂ ଦୃଢ଼ ମନୋବଳ ଦରକାର। ପ୍ରଧାନମନ୍ତ୍ରୀ ତିନିଦିନିଆ ମାଲେସିଆ ଗସ୍ତରେ ଯାଇଥିବା ବେଳେ ପ୍ରଥମେ ଚୀନ୍ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଥିଲେ। ପରେ ସେ ମାଲେସିଆ ପ୍ରଧାନମନ୍ତ୍ରୀ ନବାବ ରଜାକଙ୍କ ସମେତ ଦେଶର ଅନେକ ନେତାଙ୍କୁ ସାକ୍ଷାତ କରିବେ। ଏହି ଗସ୍ତକାଳରେ ଆତଙ୍କବାଦ, ମାନବ ଚାଲାଣ, ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା, ଦକ୍ଷିଣ ଚାଇନା ସମୁଦ୍ର ବିବାଦ ଆଦି ପ୍ରସଙ୍ଗରେ ମାଲେସିଆ ସହ ଭାରତର ଚୁକ୍ତି ସ୍ୱାକ୍ଷରିତ ହେବା କାର୍ଯ୍ୟକ୍ରମ ରହିଛି।