ଦୁଇଟି କଦଳୀର ଦାମ ୪୨୨.୫୦ ଟଙ୍କା

ଚଣ୍ଡିଗଡ଼: ଆପଣ କେବେ କଦଳୀ କିଣିଛନ୍ତି କି? ଯଦି କିଣିଛନ୍ତି , ତା’ହେଲେ କେତେ ଟଙ୍କା ଦେଇ କିଣିଛନ୍ତି? ଯଦି ଦୁଇଟି କଦଳୀର ଦାମ ୪୨୨.୫୦ ଟଙ୍କା ବୋଲି ଆପଣଙ୍କୁ କୁହାଯାଏ, ତା’ହେଲେ ଆପଣ ବିଶ୍ୱାସ କରିବେ କି? ହେଲେ ଏମିତି ଏକ ଘଟଣା ଅଭିନେତା ରାହୁଲ ବୋଷଙ୍କ ସହ ଘଟିଛି।

ନିକଟରେ ରାହୁଲ ଏକ ଫିଲ୍ମର ଶୁଟିଂ ପାଇଁ ଚଣ୍ଡିଗଡ଼ ଯାଇଥିଲେ। ସେଠାରେ ଥିବା ପଞ୍ଚ ତାରକା ହୋଟେଲରେ ରାହୁଲ ରହିଥିଲେ। ଜିମରେ ଅଭ୍ୟାସ କରିବା ପରେ ସେ ଦୁଇଟି କଦଳୀ ଅର୍ଡର କରିଥିଲେ।

ହେଲେ ୱେଟର ଯେତେବେଳେ ଏହି କଦଳୀ ଦୁଇଟିର ବିଲ୍‌ ଦେଇଥିଲେ, ତା’କୁ ଦେଖି ରାହୁଲ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। କାରଣ ଏହି ଦୁଇଟି କଦଳୀର ମୂଲ୍ୟ ୪୨୨.୫୦ ଟଙ୍କା ରହିଥିଲା। ରାହୁଲ ଏହି ଘଟଣାକୁ ଭିଡିଓ ମେସେଜ୍‌ ଦ୍ୱାରା ସୋଶାଲ ମିଡିଆରେ ଶେୟାର କରିଛନ୍ତି ।