ରାଜସ୍ଥାନ: ଦୁଇଟି ବସ୍ ମୁହାଁମୁହିଁ ଧକ୍କା, ୫ ମୃତ, ୨୫ ଗୁରୁତର

ଜୟପୁର: ରାଜସ୍ଥାନର ରାମସିଂହପୁର ନିକଟରେ ଦୁଇଟି ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବିକାନରର ପିବିଏମ ହସପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଆହତମାନଙ୍କୁ ରାମସିଂହପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ବସ୍ ସାଙ୍ଗାରିଆରୁ ରାଭୱାଲି ଆଡ଼କୁ ଯାଉଥିବା ବେଳେ ଅନ୍ୟ ବସଟି ବିପରୀତ ଦିଗରୁ ଆସୁଥିଲା। ମୁହାଁମୁହିଁ ଧକ୍କା ହେବା ପରେ ବସ୍ ଦୁଇଟି ପଲଟି ଯାଇଥିଲେ। ତେବେ ଉଭୟ ବସର ଚାଳକ ଦ୍ୱୟଙ୍କର କିଛି ହୋଇ ନାହିଁ।