ବଡ଼ ଆତଙ୍କୀ ଆକ୍ରମଣର ଆଶଙ୍କା ପରେ କଶ୍ମୀର ଯାଇଛନ୍ତି ୧୦ ହଜାର ଯବାନ: ସରକାର

ନୂଆଦିଲ୍ଲୀ: କଶ୍ମୀର ଉପତ୍ୟକାରେ ବଡ଼ ଧରଣର ହମ୍‌ଲା କରିବା ଚକ୍କରରେ ଅଛନ୍ତି ଆତଙ୍କବାଦୀ। ଏହି କାରଣରୁ ଗୃହମନ୍ତ୍ରଣାଳୟ ଜମ୍ମୁକଶ୍ମୀରକୁ ଆଉ ୧୦ ହଜାର ଯବାନ ପଠାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେମାନେ ସମ୍ବେଦନଶୀଳ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅପରେସନ୍‌କୁ ଆହୁରି ବ୍ୟାପକ କରିବେ ବୋଲି ଜଣାପଡ଼ିଛି। ଏହି ସୂତ୍ର ପକ୍ଷରୁ କୁହାଯାଇଛି, ଆତଙ୍କବାଦୀ ହମ୍‌ଲା ନେଇ ପ୍ରାଥମିକ ସୂଚନା ପାଇବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁକଶ୍ମୀର ଗସ୍ତ କରି କଶ୍ମୀର ଉପତ୍ୟକାରେ ଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଡୋଭାଲଙ୍କ ସମୀକ୍ଷାରୁ କେନ୍ଦ୍ର ସରକାର ଅନୁଭବ କରିଥିଲେ କଶ୍ମୀର ଉପତ୍ୟକାରେ ଅଧିକ ଯବାନ ନିୟୋଜିତ ହେବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ସରକାର ୧୦୦ କମ୍ପାନୀ ବା ୧୦ ହଜାର ଯବାନଙ୍କୁ ଅତିରିକ୍ତ ଭାବେ ନିୟୋଜିତ କରିବାକୁ ନିଷ୍ପତ୍ତି ନେବା ପରେ ଗୁଜବ ସୃଷ୍ଟି ହୋଇଥିଲା ଯେ ସରକାର କାଳେ ଧାରା ୩୫ଏ ଏବଂ ଧାରା ୩୭୦ ଉଠାଇବା ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇ ଧାରା ହିଁ ଜମ୍ମୁକଶ୍ମୀରର ଲୋକଙ୍କୁ କିଛି ସ୍ୱତନ୍ତ୍ର ସୁବିଧା ଦେଇ ଆସୁଛି।

ଅନ୍ୟପକ୍ଷରେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ସମର୍ଥିତ କିଛି ଆତଙ୍କବାଦୀ ସଂଗଠନ ଭାରତ ମାଟିରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ବଡ଼ ଧରଣର ହମ୍‌ଲା ଯୋଜନା କରିଛନ୍ତି। ଜମ୍ମୁକଶ୍ମୀରରେ ପଞ୍ଚାୟତ ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ସଫଳ ଭାବେ ଅନୁଷ୍ଠିତ ହେବାପରେ ଅସ୍ଥିରତା ସୃଷ୍ଟି ପାଇଁ ସେମାନେ ଯବାନଙ୍କ ଉପରେ ହମ୍‌ଲା କରିବାର ଯୋଜନା ଥିଲା। ଏହାକୁ ଆଖି ଆଗରେ ରଖି ୧୦୦ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଜମ୍ମୁକଶ୍ମୀରରେ ନିୟୋଜିତ ହୋଇଛନ୍ତି। ଏହି ସୂତ୍ରରୁ ଜଣାପଡ଼ିଛି, ଡୋଭାଲ କଶ୍ମୀର ଗସ୍ତରେ ଆତଙ୍କବାଦ ନିରୋଧୀ ଅପରେସନ୍‌ ଦାୟିତ୍ୱରେ ଥିବା ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଅମରନାଥ ଯାତ୍ରାରେ ତୀର୍ଥଯାତ୍ରୀଙ୍କ ସଂଖ୍ୟାରେ ପାକିସ୍ତାନର ଆଇଏସ୍‌ଆଇ ଏବଂ ଆତଙ୍କବାଦୀ ସଂଗଠନମାନେ ବ୍ୟଥିତ ହୋଇଥିବା ସ୍ୱାଭାବିକ। ଏହା ସେମାନଙ୍କୁ କିଛି ହମ୍‌ଲା କରିବା ପାଇଁ ଦୁର୍ବୁଦ୍ଧି ଦେଇଥିବା ଅନୁମାନ କରାଯାଉଛି। ଏପରିକି ସେମାନେ ଗତକାଲି ମାଛିଲ୍‌ ସେକ୍ଟରରେ ଅନୁପ୍ରବେଶ ପାଇଁ ପ୍ରୟାସ କରିବା ଏହି ଅନୁମାନକୁ କିଛି ମାତ୍ରାରେ ଖୋରାକ ଯୋଗାଇଛି। ତେବେ ଭାରତୀୟ ଯବାନ ଏହି ପ୍ରୟାସକୁ ପ୍ରତିହତ କରିବାରେ ସମର୍ଥ ହୋଇଛନ୍ତି। ତେବେ ଏ ସମସ୍ତ ଆଶଙ୍କାକୁ ପୁଞ୍ଜି କରି ଭାରତୀୟ ସେନା ଏବଂ ସିଆରପିଏଫ୍‌ ୟୁନିଟ୍‌ ସଜାଗ ରହିଛନ୍ତି। ସେହିଭଳି ଏନ୍‌ଏସ୍‌ଏ ଡୋଭାଲ ମଧ୍ୟ ସୁରକ୍ଷା ଏବଂ ଅପରେସନ୍‌ ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ସହ ଲଗାତାର ଯୋଗାଯୋଗରେ ରହୁଛନ୍ତି।