ଅନ୍‌ଲାଇନ୍‌ ଟ୍ରେନ୍‌ ଟିକେଟ୍‌ ବୁକିଂରେ ‘ଆଧାର’ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି ଅନ୍‌ଲାଇନ୍‌ରେ ଟ୍ରେନ୍‌ ଟିକେଟ୍‌ ବୁକିଂ ବେଳେ ଆଧାରକାର୍ଡର ଆବଶ୍ୟକତା ପଡିବ। କେନ୍ଦ୍ର ସରକାର ଶୀଘ୍ର ଆଧାର ବେସ୍‌ଡ ଅନ୍‌ଲାଇନ୍‌ ଟିକେଟିଂ ସିଷ୍ଟମ ଆଣିବାକୁ ଯାଉଛନ୍ତି। ଆସନ୍ତା ଏପ୍ରିଲ ମାସରୁ ଏହା ୩ ମାସ ପାଇଁ ପରୀକ୍ଷା ମୂଳକ ଭାବେ ଆରମ୍ଭ ହେବ।

ଗତ ମଙ୍ଗଳବାର ରେଲମନ୍ତ୍ରୀ ସୁରେଶ ପ୍ରଭୁ ୨୦୧୭-୧୮ ବିଜନେସ୍‌ ପ୍ଲାନ ଉନ୍ମୋଚନ କରିବା ପରେ ଏହା ଜଣାପଡିଛି। ଆଧାର ବେସ୍‌ଡ ଟିକେଟିଂ ସିଷ୍ଟମ ବ୍ୟତୀତ ରେଲୱେ କ୍ୟାସ୍‌ଲେସ୍‌ ଟିକେଟିଂ ସିଷ୍ଟମ ଉପରେ ଗୁରୁତ୍ୱ ଦେଇଛି। ଏଣିକି ୬୦୦୦ ଟଙ୍କା ପର୍ଯ୍ୟନ୍ତର ଟିକେଟ୍‌ ପଏଣ୍ଟ ଅଫ୍‌ ସେଲ୍‌ ମେସିନରୁ କରି ହେବ। ୧୦୦୦ ଟଙ୍କା ପର୍ଯ୍ୟନ୍ତର ଟିକେଟ୍‌ ଅଟୋମେଟିକ ଟିକେଟ୍‌ ଭେଣ୍ଡିଂ ମେସିନ୍‌ରୁ କରିହେବ। ଦେଶର ସବୁ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହେବ।

ଏହାବାଦ କ୍ୟାସ୍‌ଲେସ୍‌ ନେଣଦେଣକୁ ପ୍ରୋତ୍ସାହନ ଦେବାକୁ ଆସନ୍ତା ମେ ମାସରୁ ଏକ ଟିକେଟିଂ ଆପ୍‌ ଲଞ୍ଚ କରାଯିବ।

ରେଳ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି,“ଆଇଆରସିଟିସି ଟିକେଟିଂ ସାଇଟ୍‌ରେ ଗୋଟିଏ ଥର ଆଧାରକାର୍ଡର ନମ୍ବର ରେଜିଷ୍ଟ୍ରେସନ୍‌ କରିବାକୁ ପଡିବ। ଏହାଦ୍ୱାରା ରେଳ ଟିକେଟ୍‌ ବେଳେ ଭୁଲ ପ୍ରମାଣ ପ୍ରଦାନ ଉପରେ ରୋକ ଲଗା ଯାଇପାରିବ। ଏଥିପାଇଁ ରେଳ ବିଭାଗ ପକ୍ଷରୁ ଏକ ସଫ୍ଟୱେର ପ୍ରସ୍ତୁତ କରାଯାଉଛି।