ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାର ବିଜ୍ଞାପନରେ ଖର୍ଚ୍ଚ କରିଛନ୍ତି ୧୦୦୦ କୋଟି ଟଙ୍କା: କେଜ୍ରିୱାଲ୍

arvind-kejriwalନୂଆଦିଲ୍ଲୀ: ବିଜ୍ଞାପନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆମ୍ ଆଦ୍‌ମୀ ପାର୍ଟି (ଆପ୍) ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ସକାଳେ ଟ୍ୱିଟ୍ କରି କହିଛନ୍ତି ଯେ ମୋଦି ସରକାର ତାଙ୍କର ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ଯେତିକି ଟଙ୍କା ବିଜ୍ଞାପନରେ ଉଡ଼ାଇଛନ୍ତି ଦିଲ୍ଲୀ ସରକାର ଗୋଟିଏ ବର୍ଷରେ ସେତିକି ଟଙ୍କାର ବିଜ୍ଞାପନ ଦେଇ ନାହାନ୍ତି। ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାର ବିଜ୍ଞାପନ ବାବଦକୁ ୧୦୦୦ କୋଟିରୁ ଅଧିକ ଟଙ୍କାର ବିଜ୍ଞାପନ ଦେଇଛନ୍ତି। ଦିଲ୍ଲୀ ସରକାର ଗୋଟିଏ ବର୍ଷରେ ୧୫୦ କୋଟି ଟଙ୍କାରୁ କମ୍ ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଛନ୍ତି। ଏହା ସତ୍ତ୍ୱେ କଂଗ୍ରେସ ଓ ବିଜେପି ଏହାକୁ ସମାଲୋଚନା କରୁଛନ୍ତି।

ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଥିଲା ଯେ ଦିଲ୍ଲୀର ଆପ୍ ସରକାର ଚଳିତ ବର୍ଷ ଫେବୃଆରୀ ୧୦ରୁ ମାର୍ଚ୍ଚ ୧୧ ତାରିଖ ମଧ୍ୟରେ ଛାପା ଗଣମାଧ୍ୟମରେ ବିଜ୍ଞାପନ ବାବଦକୁ ୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ଜାନୁଆରୀ ଓ ଏପ୍ରିଲ୍ ମାସରେ ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ ବିଜ୍ଞାପନ ବାବଦକୁ ଦୁଇଟି ପର୍ଯ୍ୟାୟରେ ୫ କୋଟି ଟଙ୍କାର ବିଜ୍ଞାପନ ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ କେଜ୍ରିୱାଲଙ୍କ ସରକାର ବିଜ୍ଞାପନ ପାଇଁ ମୋଟ ୨୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ଗତ ଆର୍ଥିକ ବର୍ଷରେ ଏହି ପରିମାଣ ୩୨୬ କୋଟି ଟଙ୍କା ଥିଲା।