ଆଫଗାନିସ୍ତାନର ନୂଆ ସଂସଦ ସୌଧ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

pm-afghan

କାବୁଲ: ଆଫଗାନିସ୍ତାନର ନବନିର୍ମିତ ସଂସଦ ସୌଧକୁ ଶୁକ୍ରବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ସଂସଦ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ନାମିତ ଏକ ବ୍ଲକକୁ ମଧ୍ୟ ମୋଦି ଉଦଘାଟନ କରିଛନ୍ତି। ମୋଦି ଆଫଗାନିସ୍ତାନ ସଂସଦକୁ ମଧ୍ୟ ସମ୍ବୋଧିତ କରିଥିଲେ।ଦୁଇ ଦିନିଆ ଋଷ ଗସ୍ତ ସାରି ଆଜି ଭୋରରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପହଞ୍ଚିଥିଲେ ମୋଦି। ତା’ପରେ ସେ ଆଫଗାନ ରାଷ୍ଟ୍ରପତି ଅଶରଫ ଗନୀଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ଦୁଇ ଜଣ ନେତୃତ୍ୱରେ ଉଭୟ ରାଷ୍ଟ୍ରର ପ୍ରତିନିଧି ଦଳଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହା ପରେ ମୋଦି ଉଦଘାଟନ କରିଥିଲେ ଆଫଗାନିସ୍ତାନର ନୂଆ ସଂସଦ ସୌଧ। ଭାରତ ପକ୍ଷରୁ ଏହି ସଂସଦ ସୌଧ ନିର୍ମାଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ବନ୍ଧୁତା ଓ ସମନ୍ୱୟକୁ ବଜାୟ ରଖିବାକୁ ତଥା ଯୁଦ୍ଧରେ ବହୁ କ୍ଷତି ସହି ଥିବା ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ଯାଇ ଭାରତ ଏହାକୁ ନିର୍ମାଣ କରିଛି।   ୨୦୦୭ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାଥମିକ ଭାବେ ଏଥିପାଇଁ ବ୍ୟୟ ଅଟକଳ ରଖାଯାଇଥିଲା ୨୯୬ କୋଟି। ୨୦୦୮ ବେଳକୁ ଏହାର ବ୍ୟୟଅଟକଳ ୭୧୦ କୋଟିକୁ ବୃଦ୍ଧି ପାଇଥିଲା।