ଆଫଗାନିସ୍ତାନ: ଭାରତୀୟ ବାଣିଜ୍ୟିକ ଦୂତାବାସ ନିକଟରେ ବିସ୍ଫୋରଣ, ସମସ୍ତ ଭାରତୀୟ ସୁରକ୍ଷିତ

କାବୁଲ: ଆଫଗାନିସ୍ତାନର ଜଲାଲାବାଦ ସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ନିକଟରେ ବୁଧବାର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣ ପୋଲିସ୍ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଭାରତୀୟ ବାଣିଜ୍ୟିକ ଦୂତାବାସଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିଲା। ଜଣେ ଆତ୍ମଘାତୀ ନିଜକୁ ଉଡ଼ାଇ ଦେଇଥିଲା। ତେବେ ଏଥିରେ କୌଣସି ଭାରତୀୟ ହତାହତ ହୋଇ ନାହାନ୍ତି। ସମସ୍ତ ଭାରତୀୟ ସୁରକ୍ଷିତ ଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବିସ୍ଫୋରଣ ପରେ ଆଫଗାନିସ୍ତାନର ସୁରକ୍ଷାକର୍ମୀଙ୍କ ସହିତ କିଛି ବନ୍ଧୁକଧାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପାକିସ୍ତାନୀ ବାଣିଜ୍ୟିକ ଦୂତାବାସ ନିକଟରେ ଏହି ଗୁଳି ବିନିମୟ ହୋଇଥିଲା। ସେଠାରେ ଏକ ଘରେ ବନ୍ଧୁକଧାରୀମାନେ ଲୁଚି ରହି ଗୁଳି ଚଳାଉଥିଲେ।

ଗତ ୧୦ ଦିନ ମଧ୍ୟରେ ଆଜି ତୃତୀୟ ଥର ପାଇଁ ଭାରତୀୟ ବାଣିଜ୍ୟିକ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି। ଏହା ପୂର୍ବରୁ ଜାନୁଆରୀ ୮ ତାରିଖରେ ହେରାଟ୍ ସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ନିକଟରୁ ଏକ ଗାଡ଼ି ଭର୍ତ୍ତି ବିସ୍ଫୋରକ ଜବତ କରାଯାଇଥିଲା ଓ ଜଣଙ୍କୁ ଗିରଫ କରାଯାଇଥିଲା। ଜାନୁଆରୀ ୩ ତାରିଖରେ ମଜର-ଏ-ଶରିଫ୍ ସ୍ଥିତ ବାଣିଜ୍ୟିକ ଦୂତାବାସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ତେବେ ସୁରକ୍ଷାକର୍ମଚାରୀମାନେ ସେମାନଙ୍କୁ ବାଧା ଦେଇଥିଲେ। ଜାନୁଆରୀ ୪ ତାରିଖ ରାତି ପର୍ଯ୍ୟନ୍ତ ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ସାଧାରଣ ଲୋକଙ୍କ ସହିତ ୯ ଜଣ ଆହତ ହୋଇଥିଲେ।