ଫେରିବ ୭୧ ବର୍ଷର ସ୍ମୃତି: ଏୟାର ଇଣ୍ଡିଆକୁ କିଣିବ ଟାଟା ଗ୍ରୁପ୍‌ !

ନୂଆଦିଲ୍ଲୀ: ହରେଇଥିବା ସ୍ମୁତିକୁ ଫେରେଇ ଆଣିବାକୁ ଟାଟାଗ୍ରୁପ୍‌ର ପ୍ରୟାସ। ଦିନେ ଯେଉଁ ଏୟାର ଲାଇନ୍ସକୁ ଟାଟା ହାତରୁ ନେଇଯାଇ ସରକାର ଏୟାର ଇଣ୍ଡିଆ ନାମରେ ନାମିତ କରିଥିଲେ ତାହାକୁ  ଫେରି ପାଇବାକୁ ପ୍ରୟାସ କରିଛି ଟାଟା।  ଅର୍ଥାତ ଏୟାର ଇଣ୍ଡିଆକୁ ନିଜ ଅଧୀନକୁ ନେବା ଲକ୍ଷ୍ୟରେ ରହିଛି ଟାଟା ଗ୍ରୁପ୍‌। ଏହି କ୍ରମରେ ଏୟାର ଇଣ୍ଡିଆକୁ କିଣିବା ଯୋଜନାରେ ରହିଛି ସମ୍ପୃକ୍ତ କମ୍ପାନୀ। ସିଙ୍ଗାପୁରର ଏକ ଏୟାରଲାଇନ୍ସ କମ୍ପାନୀ ସହ ମିଶି ଟାଟା ଗ୍ରୁପ୍‌ ଏୟାର ଇଣ୍ଡିଆକୁ ଭାରତ ସରକାର ଠାରୁ କିଣିବ ବୋଲି ଆଲୋଚନା ହେଉଛି। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ଏଥିରେ ଟାଟା ଗ୍ରୁପ୍‌ର ଅଧିକ ସେୟାର (୫୧ ପ୍ରତିଶତ) ରହିବ ବୋଲି କୁହାଯାଉଛି। ଏନେଇ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ସରକାରଙ୍କ ସହ ଅନୌପଚାରିକ ଭାବେ ଆଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ଲାଗି  କେନ୍ଦ୍ର ସରକାର ଅଜସ୍ର କ୍ଷତି ସହୁଥିବାରୁ ଏହାକୁ ଘରୋଇକରଣ ପାଇଁ ବିଚାର କରୁଛନ୍ତି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ସୂଚନା ଦେଇଛନ୍ତି। ଏୟାର ଇଣ୍ଡିଆ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଏବେ ୫୦ ହଜାର କୋଟି ଟଙ୍କାର ଋଣଭାର ରହିଛି। ତେଣୁ ଏହ କ୍ଷତିକୁ ଭରଣା କରିବା ପାଇଁ ସରକାର ଚିନ୍ତା କରୁଥିବା ବେଳେ ଏହାର ଫାଇଦା ନେବାକୁ ଟାଟା ଗ୍ରୁପ ଚିନ୍ତା କରୁଛି। ସୂଚନା ଅନୁଯାୟୀ ୧୯୩୨ ମସିହାରେ ଜେ.ଆର.ଡି ଟାଟା ଭାରତରେ ଟାଟା ଏୟାରଲାଇନ୍ସ ସେବା ଆରମ୍ଭ କରିଥିଲେ। ପରେ ୧୯୪୬ରେ ଏହାର ନାମ ପରିବର୍ତ୍ତନ ହୋଇ ଏୟାର ଇଣ୍ଡିଆ ନାମକରଣ କରାଯାଇଥିଲା। ଆଉ ୧୯୫୩ରେ ଏହାକୁ ସରକାର ନିଜ ଅଧୀନକୁ ନେଇ ଜାତୀୟକରଣ କରିଦେଇଥିଲେ। ୭୧ ବର୍ଷ ପରେ ଏବେ ନିଜ ସ୍ମୁତିକୁ ଫେରି ପାଇବାକୁ ପ୍ରୟାସ କରୁଛି ଟାଟା ଗ୍ରୁପ୍‌।