ବୈଦେଶିକ ମନ୍ତ୍ରୀଙ୍କ ପରେ ବାଂଲାଦେଶ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାରତ ଆସିବାକୁ ମନାକଲେ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ବିଲ ପାଇଁ ଏବେ ଜଣଙ୍କ ପରେ ଜଣେ ବାଂଲାଦେଶ ମନ୍ତ୍ରୀ ଭାରତ ଆସିବାକୁ ମନା କରିଦେଉଛନ୍ତି। ସିଏବିକୁ ନେଇ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ତୀବ୍ର ହିଂସାକାଣ୍ଡ ଜାରି ରହିଛି। ଏଥିସହ ଭାରତ ସରକାର ସିଏବି ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି।

ଅର୍ଥାତ ଉପରୋକ୍ତ ଦେଶଗୁଡ଼ିକରେ ସଂଖ୍ୟାଲଘୁମାନଙ୍କ ଉପରେ ନିର୍ଯାତନା ହେଉଛି ବୋଲି ଭାରତ ସରକାର ପ୍ରମାଣିତ କରିବାକୁ ଚାହିଁଛନ୍ତି। ଏଥିପାଇଁ ଆଜି ପ୍ରଥମେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ତାଙ୍କ ପ୍ରସ୍ତାବିତ ଭାରତ ଗସ୍ତକୁ ବାତିଲ କରିଥିଲେ।

ଏବେ ଶିଲଂ ଓ ମେଘାଳୟ ଆସିବାକୁ ଥିବା ବାଂଲାଦେଶ ସ୍ୱରାଷ୍ଟ୍ର ଅସାଦୁଜମାନ ଖାନ ମଧ୍ୟ ଏଥିରୁ ଓହରି ଯାଇଛନ୍ତି। ନର୍ଥଇଷ୍ଟରେ ହିଂସାକାଣ୍ଡ ଚାଲିଥିବାରୁ ଏହି ଗସ୍ତ ବାତିଲ ହୋଇଥିବା କୁହାଯାଇଛି। ଡିସେମ୍ବର ୧୩ରୁ ୧୫ ତିନି ଦିନିଆ ଭାରତ ଗସ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଖାନ ଆସିବାର ଥିଲା। ଆସନ୍ତାକାଲି ସକାଳେ ସେ ଭାରତରେ ପହଞ୍ଚି ଥାଆନ୍ତେ। ଏହାପରେ ଶିଲଂ ଯାଇ ସେଠାରେ ଶିଲଂ ଫ୍ରିଡମ ଫାଇଟର ୱେଲଫେୟାର ଟ୍ରଷ୍ଟର କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ। ହେଲେ ହଠାତ୍‌ ଏହି ଗସ୍ତ ବାତିଲ ହୋଇଯାଇଛି।