ମୋଦି- ଜିନ୍ ପିଙ୍ଗ ମଧ୍ୟରେ ଆଜି ଆଲୋଚନା: ଉଠିପାରେ ସୀମା ବିବାଦ ପ୍ରସଙ୍ଗ  

ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି- ଜିନ୍ ପିଙ୍ଗ ମଧ୍ୟରେ ହେବ ଦ୍ୱିପାକ୍ଷିକ ଆଲୋଚନା । ଡୋକଲାମ୍ ଉତ୍ତେଜନା ପ୍ରଶମିତ ହେବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ। ଆଜି ଦିନ ୧୨ଟାରେ  ଉଭୟ ଭେଟାଭେଟି ହେବାର କାର୍ଯ୍ୟକ୍ରମ ରହିଛି। ସିକିମ ସେକ୍ଟରରେ ଡୋକଲାମ ପ୍ରସଙ୍ଗକୁ ନେଇ ୭୩ ଧରି ଅସ୍ଥିରତା ଲାଗିରହିବା ଏବଂ ସମାଧାନ ହେବା ପରେ ଏହି ଆଲୋଚନା ହେଉଛି। ତା’ ସହିତ ଚୀନ- ପାକିସ୍ତାନ ଇକୋନୋମିକ୍ କରିଡର-ସିପେକ୍କୁ ନେଇ ଭାରତର ଆପତ୍ତି ରଖିଥିବା ବେଳେ ଆଣବିକ ଯୋଗାଣକାରୀ ରାଷ୍ଟ୍ର-NSGରେ ଭାରତ ସାମିଲକୁ ଚୀନ ବିରୋଧ କରୁଛି ।

ଏସବୁ ଦୃଷ୍ଟିରୁ ମୋଦି-ଜିନପିଙ୍ଗ ବୈଠକକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସେପଟେ ବ୍ରିକ୍ସ ସମ୍ମିଳନୀରେ ଭାରତର ବଡ କୂଟନୈତିକ ବିଜୟ ହୋଇଛି। ଚୀନର ବିରୋଧ ସତ୍ତ୍ୱେ ସମ୍ମିଳନୀରେ ଭାରତ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଦେଇଛି ଶକ୍ତ ଝଟ୍‌କା। ପ୍ରଥମଥର ଲାଗି ବ୍ରିକ୍ସ ସମ୍ମିଳନୀ ଘୋଷଣାନାମାରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନଗୁଡିକ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ସହମତି ହୋଇଛି। ଗତକାଲି ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ  ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ  ଆହ୍ୱାନ ଦେଇଥିଲେ ।