ପୁରୁଣା ଦିଅ ନୂଆ ନିଅ: ଦଲାଲଙ୍କ ବମ୍ପର ଅଫର, କୋଟିଏ ବଦଳରେ ୯ ଲ‍କ୍ଷ

ବିମୁଦ୍ରାକରଣ ପରେ ପୁରଣା ଟଙ୍କା ବଦଳାଇ ନୂଆ ଟଙ୍କା ପାଇବା ଝିନ୍‌ଝଟ୍‌ କେବେଠୁ ସରିଲାଣି। ଯାହା ପାଖରେ ପୁରୁଣା ଟଙ୍କା ଅଛି, ସେ ତା ବଦଳରେ ନୂଆ ପାଇବାର ଆଶା ବି ଛାଡ଼ି ଦେଇଛନ୍ତି। ବିମୁଦ୍ରାକରଣର ପ୍ରାୟ ୬ ମାସ ପରେ ଏଇଭଳି କିଛି ଅଳସୁଆ ଲୋକଙ୍କ ପାଇଁ ଏବେ କିଛି ଦଲାଲ୍ ଆଣିଛନ୍ତି ବମ୍ପର ଅଫର୍। ଅଫର୍‌ଟି ଆଇନ୍ ବିରୋଧୀ, କିନ୍ତୁ ଲୋଭନୀୟ। ପୂରା ଖବରଟି ପଢ଼ନ୍ତୁ।

୧ କୋଟି ପୁରୁଣା ଟଙ୍କା ବଦଳରେ ମିଳୁଛି ୯ ଲକ୍ଷ ନୂଆ ଟଙ୍କା। ପରିମାଣ କମ୍ ହେଉପଛେ, ଅଚଳ ଟଙ୍କା ବଦଳରେ କିଛି ତ ମିଳିବ। କଳାଧନ କାରବାର ରୋକିବା ପାଇଁ ମୋଦି ସରକାରଙ୍କ ବିମୁଦ୍ରୀକରଣ ପ୍ରକ୍ରିୟାରୁ ଗଳାବାଟ ବାହାର କରି ଏପରି ଫାଇଦା ଉଠାଉଛନ୍ତି କିଛି ଦଲାଲ୍ । ପୁରୁଣା ୫୦୦ ଓ  ୧୦୦୦ ଟଙ୍କିଆ ନୋଟକୁ ରିଜର୍ଭ ବ୍ୟାଙ୍କରେ ଜମା କରିବା ପାଇଁ ଏହି ଦଲାଲ ମାନେ ପାଉଛନ୍ତି ଆଖିଦୃଶିଆ କମିସନ୍।

ଏହି କାମକୁ ଶେଷସ୍ପର୍ଶ ଦେବା ପାଇଁ ଏମାନେ ନେଉଛନ୍ତି NRI(ପ୍ରବାସୀ ଭାରତୀୟ) ମାନଙ୍କ ସହାୟତା। ୩୦ ଡିସେମ୍ବର ୨୦୧୬ ପୂର୍ବରୁ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ରିଜର୍ଭ ବ୍ୟାଙ୍କରେ ଜମା କରିବାକୁ ସରକାର ଘୋଷଣା କରିଥିଲେ। ତେବେ ଏହି ନିୟମ କେବଳ ଦେଶ ଭିତରେ ରହୁଥିବା ଲୋକଙ୍କ କ୍ଷେତ୍ରରେ ଲାଗୁ ହୋଇଥିଲା। ଦେଶ ବାହାରେ ରହୁଥିବା ଭାରତୀୟ ନାଗରିକ ବା NRI ମାନେ ୩୦ ଜୁନ୍‌ ୨୦୧୭ ଭିତରେ ପୁରୁଣା ନୋଟ ବ୍ୟାଙ୍କରେ ଜମା କରି ପାରିବେ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ତେବେ NRI ମାନଙ୍କୁ ମିଳୁଥିବା ଏହି ସୁବିଧାରୁ କିଛି ଅସାଧୁ ଦଲାଲ ଫାଇଦା ଉଠାଇଥିଲେ । ପ୍ରଥମେ ଦଲାଲ ମାନେ କଳାଧନ ରଖିଥିବା ଲୋକଙ୍କଠାରୁ ପୁରୁଣା ଟଙ୍କା ଆଣିଥାନ୍ତି। ପରେ ସେହି ପୁରୁଣା ଟଙ୍କାକୁ NRI ମାନଙ୍କ ସହାୟତାରେ ରିଜର୍ଭ ବ୍ୟାଙ୍କରେ ଜମା କରିଥାନ୍ତି। ଆରବିଆଇରେ ପୁରୁଣା ଟଙ୍କା ଜମା କରିବା ପାଇଁ ଉଭୟ ଦଲାଲ ଓ NRI ମାନେ ନେଇଥାନ୍ତି ଆଖିଦୃଶିଆ କମିସନ। ପୂରାପୂରି ଖୁଲମଖୁଲା ଦଲାଲ ଲୁଟୁଛନ୍ତି କଳାଧନ ରଖିଥିବା ଲୋକଙ୍କୁ ଓ ଏମାନେ ମଧ୍ୟ ନିଜ କଳା ସାମ୍ରାଜ୍ୟକୁ ରକ୍ଷା କରିବାକୁ ଯାଇ ମୁଣ୍ଡ ନୁଆଁଉଛନ୍ତି ଦଲାଲ ମାନଙ୍କ ଆଗରେ।

ନିଜ ନାଁ ଗୋପନ ରଖି ଜଣେ ଆରବିଆଇ ଅଧିକାରୀ କହିଛନ୍ତି, ଏହି ଘଟଣା ବିଷୟରେ ଆରବିଆଇ କର୍ତ୍ତୃପକ୍ଷ ଅବଗତ ଅଛନ୍ତି। ହେଲେ NRI ମାନେ ସଠିକ୍‌ ପ୍ରମାଣପତ୍ର ଦେଇ ପୁରୁଣା ନୋଟ ବଦଳ କରୁଥିବାରୁ ଏହାକୁ ରୋକିବା କଷ୍ଟକର ବ୍ୟାପାର ହୋଇପଡୁଛି।