କର୍ଣ୍ଣାଟକା ପରେ ମଧ୍ୟପ୍ରଦେଶ ସରକାରଙ୍କ ଉପରେ ବିଜେପିର ନଜର!

ଭୋପାଲ: କର୍ଣ୍ଣାଟକାରେ ବିଜେପିର ଅପରେସନ କମଲ୍ ସଫଳ ହେବା ପରେ ଏବେ ଦଳର ଆଖି ମଧ୍ୟପ୍ରଦେଶ ଉପରେ ପଡ଼ିଛି। ମଧ୍ୟପ୍ରଦେଶରେ ମଧ୍ୟ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ବିଜେପି ବିଧାୟକମାନେ ଖୋଲାଖୋଲି ଧମକ ଦେଇଛନ୍ତି। ବିଧାନସଭାର ବିରୋଧୀଦଳ ନେତା ତଥା ବିଜେପି ବିଧାୟକ ଗୋପାଲ ଭାର୍ଗବ କହିଛନ୍ତ, “ଆମ ଉପରେ ଥିବା ୧ ନଂ ଓ ୨ ନଂ ନେତା ଯଦି ଆଦେଶ ଦେବେ, ତା’ହେଲେ ଆମେ ୨୪ ଘଣ୍ଟା ମଧ୍ୟରେ କମଲନାଥ ସରକାରଙ୍କୁ ଭୁଶୁଡ଼ାଇ ଦେବୁ।”

ଏହାର ଜବାବ ମଧ୍ୟ କମଲନାଥ ଦେଇଛନ୍ତି। ସେ କହିଛନ୍ତି, “ଯଦି ଆପଣଙ୍କ ୧ ନଂ ଓ ୨ ନଂ ଏତେ କଥା ଜାଣିଛନ୍ତି, ତା’ହେଲେ କ’ଣ ପାଇଁ ଆମ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣୁ ନାହାନ୍ତି।”

ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସରକାର ୨୩୦ଟି ଆସନରୁ ୧୨୧ଟି ନିଜ ପାଖରେ ରଖିଥିବା ବେଳେ ବିଜେପି ୧୦୮ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନ ଜିତିଛନ୍ତି। ଗୋଟିଏ ଆସନ ଫାଙ୍କା ପଡ଼ିଛି। ଏଠାରେ ମ୍ୟାଜିକ ନମ୍ବର ହେଉଛି ୧୧୬। କଂଗ୍ରେସ ଏକାକୀ ୧୧୪ଟି ଆସନ ଜିତିଥିବା ବେଳେ ମେଣ୍ଟରେ ଥିବା ବିଏସ୍‌ପି ୨ଟି ଜଣ  ଓ ସପା ଗୋଟିଏ ଆସନ ଜିତିଛନ୍ତି। ସେହିପରି କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କୁ ୪ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି।