କର୍ଣ୍ଣାଟକା ପରେ ମଧ୍ୟପ୍ରଦେଶରେ ଦଳ ବଦଳ ରାଜନୀତି !

ଭୋପାଲ: କର୍ଣ୍ଣାଟକା ରାଜନୀତି ଟିକିଏ ଶାନ୍ତ ପଡ଼ିଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ଦଳ ବଦଳ ରାଜନୀତି ଜୋର ଧରିବାର ଆଭାସ ମିଳୁଛି। ନିକଟରେ ବିଜେପିର ୨ ଜଣ ବିଧାୟକ ଶାସକ ଦଳ କଂଗ୍ରେସରେ ମିଶିବେ ବୋଲି ସ୍ପଷ୍ଟ ହୋଇଛି। ଏହାପରେ ବିଜେପି ନେତୃତ୍ୱ ମଧ୍ୟପ୍ରଦେଶ ବିଜେପିର ସଭାପତି ରାକେଶ ସିଂହ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହାପରେ ଶିବରାଜ ସିଂହ ଚୌହ୍ୱାନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କଂଗ୍ରେସ  ଯେଉଁ ଦଳ ବଦଳ ରାଜନୀତି ଆରମ୍ଭ କରିଛି ଆଗାମୀ ଦିନରେ ସେ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇବେ। ସେ କହିଛନ୍ତି ମଧ୍ୟପ୍ରଦେଶରେ କଂଗ୍ରେସ ବହୁଜନ ସମାଜ ପାର୍ଟି ଏବଂ ଅନ୍ୟ ଦଳର ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିଛି। ତେଣୁ ଯଦି କଂଗ୍ରେସ ଏଭଳି ଦଳବଦଳ ରାଜନୀତି ଆରମ୍ଭ କରେ, ତା’ହେଲେ ସେ ଶାସକ ଦଳକୁ ବୁଦ୍ଧି ଶିଖାଇବେ।

ସୂଚନାଯୋଗ୍ୟ, ୨୦୧୮ରେ ହୋଇଥିବା ବିଧାନସଭା ନିର୍ବାଚନରେ ୨୩୦ଟି ଆସନରୁ ବିଜେପି ୧୦୯ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୧୧୪ ଆସନରେ ବିଜୟୀ ହୋଇଛି। ମ୍ୟାଜିକ୍ ନମ୍ବର ୧୧୬ ହୋଇଥିବା ବେଳେ କଂଗ୍ରେସକୁ ବିଏସପିର ୨ ବିଧାୟକ ଏବଂ ସମାଜବାଦୀ ପାର୍ଟିର ଜଣେ ଏବଂ ଅନ୍ୟ ୪ ଜଣ ବିଧାୟକ ସମର୍ଥନ ଦେଇଛନ୍ତି।