“ଅନ୍ତବସ୍ତ୍ର ଖୋଲି ପରୀକ୍ଷାକୁ ଆସ”: ନିଲମ୍ବିତ ହେଲେ ୪ ପରୀକ୍ଷକ

କନ୍ନୁର୍‌(କେରଳ): ନିଟ୍‌ ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବା ପାଇଁ କହିଥିବା ପରୀକ୍ଷକଙ୍କୁ ମହଙ୍ଗା ପଡ଼ିଲା । ଏଥିପାଇଁ  ୪ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।  ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ କେରଳର ଜଣେ ଛାତ୍ରୀ ଅଭିଯୋଗ ଆଣିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି  ସମ୍ପୃକ୍ତ ପରୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ମାସେ ପର୍ଯ୍ୟନ୍ତ କାର୍ଯ୍ୟରୁ ଅନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ ରବିବାର  ନିଟ୍‌ (ନ୍ୟାସନାଲ ଏଲିଜିବିଲିଟି ଆଣ୍ଡ ଏଣ୍ଟ୍ରାସ୍‌ ଟେଷ୍ଟ)ପରୀକ୍ଷା ଥିଲା ।

ଏହି ସମୟରେ କେରଳର  କନ୍ନୁରର ପରୀକ୍ଷା କେନ୍ଦ୍ରରେ କପି ଚେକ୍‌ କରିବା ବାହାନାରେ  କେତେ ଜଣ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବା ପାଇଁ ବାଧ୍ୟ କରିଥିଲେ। ସର୍ବସମ୍ମୁଖରେ ଶିକ୍ଷକଙ୍କ ଏପରି ଆଚରଣ ଛାତ୍ରୀଙ୍କୁ ଖୁବ୍‌ ଅପାମାନିତ କରିଥିଲା। ଏନେଇ ପରେ ଛାତ୍ରୀ ଜଣକ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଗଣମାଧ୍ୟମରେ ଅଭିଯୋଗ ଆଣିଥିଲେ। ଛାତ୍ରୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନିଟ୍‌ ପରୀକ୍ଷା ପାଇଁ କପି ଯାଞ୍ଚ ସକାଶେ ସେଭଳି କିଛି ନିୟମାବଳୀ ପ୍ରକାଶ ପାଇ ନ ଥିଲା। ଏପରିକି ପରୀକ୍ଷା ପାଇଁ ଅନ୍ତବସ୍ତ୍ର ପରିଧାନ କରିବା , କଳା ରଙ୍ଗର ବସ୍ତ୍ର ପିନ୍ଧିବା  ଏବଂ  ଲଙ୍ଗ ସ୍ଲିଭ୍‌ ଉପରେ କୌଣସି କଟକଣା କରାଯାଇ ନ ଥିଲା। ଏଥିପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ମଧ୍ୟ ସେଭଳି କିଛି ଉଲ୍ଲେଖ ନ ଥିଲା। ସେହିପରି ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ପାଇଁ ମେଟାଲ ଡିଟେକ୍ଟର ଥିଲା।

ତଥାପି ପରୀକ୍ଷକମାନେ ଇନର୍‌ୱେର ବାହାର କରିବାକୁ ବାଧ୍ୟ କରିଥିଲେ। ନଚେତ ପରୀକ୍ଷାକେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କହିଥିଲେ। ଏହି ଘଟଣାରେ ଛାତ୍ରୀ ଜଣକ ମର୍ମାହତ ହେବା ସହ ଅନ୍ତବସ୍ତ୍ର ଖୋଲି ନିଜ ମା’ହାତରେ ଧରାଇଦେଇ ପରୀକ୍ଷା ଦେବାକୁ ଯାଇଥିଲେ ବୋଲି କହିଥିଲେ। ସମାନ ଧରଣର  ଅଭିଯୋଗ ଆଉ ଜଣେ ଅଭିଭାବକ ତରଫରୁ ମଧ୍ୟ କରାଯାଇଥିଲା। ତାଙ୍କ ଅଭିଯୋଗ ଅନୁଯାୟୀ ମେଟାଲ ଡିଟେକ୍ଟର ଥାଇ ମଧ୍ୟ ତାଙ୍କ ଝିଅକୁ ଜିନ୍ସ ବଟନ୍‌ ଖୋଲିବା ପାଇଁ କୁହାଯାଇଥିଲା।  ଏ ସମ୍ପର୍କରେ ସ୍କୁଲ ଅଧ୍ୟକ୍ଷକଙ୍କ କହିବା ଅନୁଯାୟୀ ଏମିତି ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି। ତଥାପି ମେଟାଲ ଡିଟେକ୍ଟରମାଧ୍ୟମରେ ଯଦି କାହା କ୍ଷେତ୍ରରେ ସାଉଣ୍ଡ ହୁଏ ତେବେ ସେମାନଙ୍କୁ ପରୀକ୍ଷା ହଲରେ ପ୍ରବେଶ ନକରେଇବା ପାଇଁ  ସମ୍ପୂର୍ଣ୍ଣ ନିର୍ଦ୍ଦେଶ ରହିଥିବା ସେ କହିଛନ୍ତି।