ମା’ ବାପା ମରିଗଲା ପରେ ଯୌନ ଶୋଷଣ କଲେ ମଉସା ଓ ଦାଦା

ନୂଆଦିଲ୍ଲୀ: ସମ୍ପର୍କରେ ପାପର ଛିଟା। ବାପା ମାଆଙ୍କ ମୃତ୍ୟୁ ପରେ ଦୁଇ ନାବାଳିକାଙ୍କୁ ମଉସା ଏବଂ ଦାଦାଙ୍କ ଯୌନ ଶୋଷଣ କରିବା ଘଟଣା ଅଲୋଡନ ସୃଷ୍ଟି କରିଛି। ଏପରି ଏକ ଲଜ୍ୟାଜନକ ଘଟଣା ଦିଲ୍ଲୀର ଫରିଦାବାଦରେ ଘଟିଛି ।

ସୂଚନା ଅନୁଯାୟୀ ସମ୍ପୃକ୍ତ ଦୁଇ ନାବାଳିକାଙ୍କ ବାପା ମାଆଙ୍କର ଦେହାନ୍ତ ପରେ ସେମାନେ ଦାଦା ଏବଂ ମଉସାଙ୍କ ଘରେ ରହୁଥିଲେ। କିଛି ଦିନ ତାଙ୍କ ଘରେ ରହିବା ପରେ ମଉସା ଏବଂ ଦାଦା ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କଲେ। ଏଥିରେ ରାଜି ନହେବାରୁ ସେମାନେ ଦୁଇ ନାବାଳିକାଙ୍କୁ ମାଡ ମାରିବା ସହ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଲେ।

ସମ୍ପୃକ୍ତ ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣଙ୍କ କହିବା ଅନୁଯ।ୟୀ, କିଛି ବର୍ଷ ତଳେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ଏହି ମାମଲାରେ ତାଙ୍କ ମାଆଙ୍କୁ ଗିରଫ କରିନେଲେ। ମାଆ ଜେଲ୍‌ ଯିବା ପରେ ସେମାନେ ସମସ୍ତ ଭାଇ ଭଉଣୀଙ୍କ ମିଶି ମଉସା ଏବଂ ଦାଦାଙ୍କ ଘରେ ରହିଲେ।

କିଛି ବର୍ଷ ପରେ ଯେତେବେଳେ ମାଆ ଜେଲ୍‌ରୁ ବାହାରିଲେ ମଉସା ଏବଂ ଦାଦା ତାଙ୍କୁ ତାଙ୍କ ମାଆଙ୍କ ସହ ଭେଟ କରିବାକୁ ଦେଲେନି। ଯେଉଁଥିରେ ମାନସିକ ଆଘାତ ପାଇ ତାଙ୍କ ମାଆ ଆତ୍ମହତ୍ୟା କରିଦେଲେ। ମାଆଙ୍କର ମୃତ୍ୟୁ ପରେ ତାଙ୍କ ଉପରେ ଅତ୍ୟାଚାର ଆହୁରି ବଢିବାରେ ଲାଗିଲା। ଯୌନ ଶୋଷଣ ମଧ୍ୟ ଆରମ୍ଭ ହୋଇଗଲା।

ଶେଷରେ ଦିନେ ଦୁଇ ନାବାଳିକା ସାହାସ ଜୁଟାଇ ଏସବୁ ସମ୍ପର୍କରେ ମାଉସୀଙ୍କୁ ଜଣାଇଲେ। ଏହାପରେ ମାଉସୀ ଦୁଇ ନାବାଳିକାଙ୍କୁ ଧରି ଥାନାରେ ପହଞ୍ଚିଥିଲେ ଏବଂ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ମାଉସୀଙ୍କ କହିବା ଅନୁଯାୟୀ, ଯେବେଠୁ ସେ ପିଲାମାନଙ୍କୁ ମଉସା ଏବଂ ଦାଦାଙ୍କଠାରୁ ଅଲଗା କରି ବାହାରେ ରଖିଛନ୍ତି, ସେବେଠାରୁ ସେମାନେ ଧମକ ଦେଉଛନ୍ତି ଏବଂ କେସ୍‌ ଉଠାଇନେବାକୁ କହୁଛନ୍ତି।