ମତଦାନ ବେଳେ ଛତିଶଗଡ଼ରେ ଆଇଇଡି ବିସ୍ଫୋରଣ

ତିନି ଦିନରେ ଛତିଶଗଡ଼ରେ ୨ ଥର, ମହାରାଷ୍ଟ୍ରରେ ଥରେ ଆଇଇଡି ବିସ୍ପୋରଣ କରିଛନ୍ତି ନକ୍ସଲ

ରାୟପୁର: ଛତିଶଗଡ଼ ବାଗପତ ଲୋକସଭା ଆସନ ପାଇଁ ମତଦାନ ଚାଲିଥିବାବେଳେ ନାରାୟଣପୁରରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି। ପରଶଗାଁଓ ବୁଥ୍‌ ନିକଟରେ ଥିବା ମତଦାନ କେନ୍ଦ୍ରରେ ନକ୍ସଲମାନେ ଏହି ବିସ୍ଫୋରଣ କରିଛନ୍ତି। ଏଥିରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି।

ମତଦାନ ବେଳେ ବିସ୍ଫୋରଣ କରି ମତଦାତାଙ୍କୁ ଭୟଭୀତ କରିବାକୁ ନକ୍ସଲମାନେ ଚେଷ୍ଟା କରିଥିବା କୁହାଯାଉଛି। ତେବେ ଏ ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି। ପ୍ରାର୍ଥୀମାନଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମତଦାନ ବେଳେ ଭୋଟରଙ୍କ ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଥିବା ସୂଚନା ମିଳିଛି।

ଗତକାଲି ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ସିଆରପିଏଫ୍‌ ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ନକ୍ସଲମାନେ  ଆଇଇଡି ବିସ୍ଫୋରଣ କରିଥିଲା। ସନ୍ଧ୍ୟା ବେଳେ ଏ ଘଟଣା ଘଟିଥିଲା। ଏଥିରେ ଜଣେ ସିଆରପିଏଫ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି।  ଆଜି ଏହି ଅଞ୍ଚଳରେ ଲୋକସଭା ଆସନ ପାଇଁ ମତଦାନ ଚାଲିଛି।

ସେହିପରି ମଙ୍ଗଳବାର ଦିନ ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ବିଜେପି ବିଧାୟକ ଓ ୫ ସିଆରପିଏଫ ଯବାନ ସହିଦ ହୋଇଥିଲେ। ବିଜେପି ବିଧାୟକ ପ୍ରଚାର ପାଇଁ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।

ଚଳିତ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଆଜି ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟତଃ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକ ରହିଛି।