ମମତା କ୍ଷମା ମାଗିଲେ ବନ୍ଦ ହେବ ଆନ୍ଦୋଳନ

କୋଲକାତା: ପଶ୍ଚିମବଙ୍ଗରେ ଡାକ୍ତରମାନେ ଆନ୍ଦୋଳନରୁ ଓହରିବା ପାଇଁ ୬ଟି ସର୍ତ୍ତ ରଖିଛନ୍ତି। ସେଥିରେ ଡାକ୍ତରଙ୍କୁ ସୁରକ୍ଷା ଏବଂ ସୁରକ୍ଷା ଆଇନ ଲାଗୁ କରାଯିବା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠାରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଆଦି ଦାବି ରହିଛି। ପଶ୍ଚିମବଙ୍ଗର ଜୁନିଅର ଡାକ୍ତରମାନଙ୍କ ଉପରେ ମରଣାନ୍ତକ ଆକ୍ରମଣର ପ୍ରତିବାଦରେ ଏହି ଆନ୍ଦୋଳନ ବର୍ତ୍ତମାନ ଦେଶର ଅନ୍ୟ ପ୍ରାନ୍ତକୁ ବ୍ୟାପିବାକୁ ଆରମ୍ଭ କରିଥିବାବେଳେ ଏହି ଆନ୍ଦୋଳନ ବର୍ତ୍ତମାନ ଜାତୀୟସ୍ତରର ଆନ୍ଦୋଳନରେ ପରିଣତ ହୋଇଛି। ଏପରିକି ଏନ୍‌ଆରଏସ୍‌ ମେଡିକାଲ କଲେଜ ୧୦୮ ଡାକ୍ତରଙ୍କ ସମେତ ପଶ୍ଚିମବଙ୍ଗର ମୋଟ ୧୫୧ ଡାକ୍ତର ଇସ୍ତଫା ଦେଇସାରିଛନ୍ତି।

ଆଜି ଆନ୍ଦୋଳନରତ ଡାକ୍ତର ଅରିନ୍ଦମ ଦତ୍ତ କହିଛନ୍ତି, ଗତକାଲି ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ମମତା ଯେଉଁଭଳି ବ୍ୟବହାର କରିଥିଲେ, ସେଥିପାଇଁ ସେ କ୍ଷମା ମାଗିବା ଦରକାର। ଅରିନ୍ଦମ ଆହୁରି ମଧ୍ୟ କହିଛନ୍ତି, ଆମ ସର୍ତ୍ତ ଅନୁଯାୟୀ ମମତାଙ୍କୁ ଆହତ ଡାକ୍ତରଙ୍କୁ ଦେଖିବାକୁ ମେଡିକାଲ ଯିବାକୁ ହେବ ଏବଂ ତାଙ୍କ ଦଳ ଏହି ଆକ୍ରମଣକୁ ନିନ୍ଦା କରି ଏକ ବିବୃତି ଜାରି କରିବାକୁ ହେବ।

ଏହି ଆନ୍ଦୋଳନ ପ୍ରଶମନ ପାଇଁ ମମତା ନରମ ଆଭିମୁଖ୍ୟ ଅବଲମ୍ବନ କରିବା ବଦଳରେ ଆନ୍ଦୋଳନ ବନ୍ଦ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧମକାଇ କହିଥିଲେ। ଏସ୍‌ଏସ୍‌କେଏମ୍‌ ହସ୍ପିଟାଲଠାରେ ସେ ଏଭଳି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଏହା ବିଜେପି ଏବଂ ସିପିଏମ୍‌ର ଷଡ଼ଯନ୍ତ୍ର। କିଛି ବାହାର ଲୋକ ମେଡିକାଲ କଲେଜ୍‌ରେ ହଙ୍ଗାମା କରୁଛନ୍ତି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାଜ୍ୟରେ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ କରିବା ପାଇଁ ଏହି ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ କ୍ୟାଲକାଟା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ୭ ଦିନ ମଧ୍ୟରେ ଏହି ଘଟଣାରେ ନିଜ ପକ୍ଷ ରଖିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ମମତା ଡାକ୍ତରଙ୍କୁ ଧମକାଉଛନ୍ତି। ଧାରଣା ବନ୍ଦ କରିବା ପାଇଁ କିଛି ବି ପଦକ୍ଷେପ ନେଉନାହାନ୍ତି। ଏନେଇ ସେ ମମତାଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ଜାହିର କରିବେ ବୋଲି କହିଛନ୍ତି। ସେହିପରି ଡ. ହର୍ଷବର୍ଦ୍ଧନ ଡାକ୍ତରମାନଙ୍କୁ କହିଛନ୍ତି, ଆନ୍ଦୋଳନ କେବଳ ପ୍ରତୀକାତ୍ମକ ହେଉ ଏବଂ ସମସ୍ତେ ରୋଗୀସେବା କାର୍ଯ୍ୟରେ ଯୋଗଦିଅନ୍ତୁ।

ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ) ପକ୍ଷରୁ କୁହାଯାଇଛି, ହସ୍ପିଟାଲରେ ହିଂସା ବିରୋଧରେ ଏକ ଜାତୀୟ ଆଇନ ଆବଶ୍ୟକ। ଆଜି ଏହାର ୧୭୦୦ ଶାଖାରେ ଧାରଣା ଦିଆଯାଇଛି, ଯେଉଁଥିରେ ୩.୫ ଲକ୍ଷ ଡାକ୍ତର ଭାଗ ନେଇଛନ୍ତି। ଆଇଏମ୍‌ଏ ପକ୍ଷରୁ କୁହାଯାଇଛି ୧୫ ଏବଂ ୧୬ ତାରିଖରେ ମଧ୍ୟ ଏଭଳି ଭାବରେ ଆନ୍ଦୋଳନ ଜାରି ରହିବ। ଏହି ସମୟରେ ଡାକ୍ତରମାନେ କଳା ବ୍ୟାଜ୍‌ ପିନ୍ଧିବା ସହ ଧାରଣା ଦେବେ। କିନ୍ତୁ ୧୭ ତାରିଖରେ ସମଗ୍ର ଭାରତରେ କେବଳ ଜରୁରୀକାଳୀନ ଚିକିତ୍ସାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ୱାସ୍ଥ୍ୟସେବା ବନ୍ଦ କରାଯିବ।

ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଆନ୍ଦୋଳନର ଦିନ ସଂଖ୍ୟା ବଢ଼ିବା ସହିତ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ସରକାରୀ ହସ୍ପିଟାଲ ସହିତ ଘରୋଇ ହସ୍ପିଟାଲ ମଧ୍ୟ ଏହି ଆନ୍ଦୋଳନରେ ପ୍ରଭାବିତ ହୋଇଛନ୍ତି। ନିଲ ରତନ୍‌ ସରକାର ହସ୍ପିଟାଲ ସମେତ ଗୋଟିଏ ଦୁଇଟି ହସ୍ପିଟାଲରେ ଜରୁରୀକାଳୀନ ସେବା ଉପଲବ୍ଧ ହେଉଛି।