ବିଏଚ୍‌ୟୁରେ ପରିବେଷିତ ନାଟକରେ ନାଥୁରାମଙ୍କ ଜୟଗାନ, ମହାତ୍ମାଙ୍କୁ ନିନ୍ଦା

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିଏଚ୍‌ୟୁ)ରେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କ ସମ୍ପର୍କିତ ଏକ ନାଟକ ମଞ୍ଚସ୍ଥ ହେବାକୁ ନେଇ ଉତ୍ତେଜନା ଦେଖାଯାଇଛି। ଗତ ସପ୍ତାହରେ ‘କଲ୍ଚୁରାଲ ଫେଷ୍ଟ’ରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ କେତେକ ଛାତ୍ର ବିରୋଧ କରିଥିଲେ।

ମରାଠୀର ବିବାଦୀୟ ପୁସ୍ତକ ‘ମି ନାଥୁରାମ ଗଡ଼ସେ ବୋଲତୋୟ’ ଉପରେ ଆଧାରିତ ଥିଲା ଉକ୍ତ ନାଟକ। ଜାତୀର ପିତା ମହାତ୍ମା ଗାନ୍ଧୀଙ୍କୁ ଏଥିରେ ବିକୃତ ଢଙ୍ଗରେ ଉପସ୍ଥାପିତ କରାଯାଇଛି। ରାଷ୍ଟ୍ର ବିଭାଜନରେ ମହାତ୍ମା ଗାନ୍ଧୀଙ୍କୁ ହିଁ ଦାୟୀ କରାଯାଇଛି। ଏପରିକି ତାଙ୍କୁ ଜଣେ ହତ୍ୟା ଯୁକ୍ତିଯୁକ୍ତ ବୋଲି ଏଥିରେ ଦର୍ଶାଯାଇଛି।

ଏହି ନାଟକ ଦେଖିବା ପରେ କେତେକ ଛାତ୍ର ଅଭିଯୋଗ କରିଛନ୍ତି ଯେ, ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଆଘାତ ପହଞ୍ଚାଇବାକୁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରୁ ସ୍ପଷ୍ଟ ଯେ, ଏହି କାର୍ଯ୍ୟକ୍ରମରେ ରାଜନୀତି ପ୍ରବେଶ ରହିଛି। ଅଦାଲତଙ୍କ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇଥିବା ଆତଙ୍କବାଦୀ ଗଡ଼ସେଙ୍କୁ ମହିମାମଣ୍ଡିତ କରି ଦେଶର ଏକତା ଓ ଅଖଣ୍ଡତାକୁ ଆଘାତ ଦିଆଯାଇଛି। ବାରାଣସୀର ଲଙ୍କା ଥାନାରେ ଏ ନେଇ ଅଭିଯୋଗ ହୋଇଛି। ଥାନାଧିକାରୀ ସଞ୍ଜୀବ ମିଶ୍ର ଅଭିଯୋଗ ହୋଇଥିବା ସ୍ୱୀକାର କହିଛନ୍ତି।