ଗୁଜରାଟ, ବିହାର ପରେ ତାମିଲନାଡୁ ରାଜନୀତିରେ ହଟଚମଟ: AIADMK ମିଶ୍ରଣ ପରେ ପୁଣି ବିଦ୍ରୋହର ସ୍ୱର

ଚେନ୍ନାଇ (ଓଡ଼ିଶା ରିପୋର୍ଟର): ଗୁଜରାଟ, ବିହାର ପରେ ଏବେ ତାମିଲନାଡୁ ରାଜନୀତିରେ ହଟଚମଟ। ଶାସକ ଦଳ ଏଆଇଏଡିଏମକରେ ଥମୁନି ବିଦ୍ରୋହର ସ୍ୱର। ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ହେବା ପରେ ପୁଣି ତେଜିଛି ଅସନ୍ତୋଷ। ଦଳର ମହାସଚିବ ଶଶିକଳାଙ୍କ ପୁତୁରା ଦିନାକରନଙ୍କ ଗୋଷ୍ଠୀ ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କୁ ଭେଟି ପାଲାନିସ୍ୱାମୀ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି।

ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ବେଳେ ସେମାନଙ୍କୁ ବିଶ୍ୱାସକୁ ନିଆଯାଇ ନ ଥିବା ଦିନାକରନଙ୍କ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ଶଶିକଳାଙ୍କୁ ବହିଷ୍କାର କରିବାର ଅଧିକାର କୌଣସି ଜଣଙ୍କର ନାହିଁ ବୋଲି ସେମାନେ କହିଛନ୍ତି। ଦିନାକରନଙ୍କ ସପକ୍ଷରେ ବର୍ତ୍ତମାନ ୨୨ ବିଧାୟକଙ୍କ ସମର୍ଥକ ଅଛି, ଯେଉଁମାନଙ୍କ ମଧ୍ୟରେ ଏଆଇଏଡିଏମକେର ୧୯ ଓ ୩ ସ୍ୱାଧୀନ ବିଧାୟକ ଅଛନ୍ତି।

ସେପଟେ ଡିଏମକେ କାର୍ଯ୍ୟକାରୀ ସଭାପତି ଏମ. କେ ଷ୍ଟାଲିନ୍ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାରଙ୍କୁ ବହୁମତ ସାବ୍ୟସ୍ତ ପ୍ରମାଣ କରାଇବାକୁ ଅନୁରୋଧ କରିଛନ୍ତି। ଷ୍ଟାଲିନଙ୍କ ଏଭଳି ଚିଠି ପରେ ଦିନାକରନଙ୍କ ୧୯ ବିଶ୍ୱସ୍ତଙ୍କ ମଧ୍ୟରୁ ୧୫ ଜଣଙ୍କୁ ପୁଡୁଚେରିରର ଦୁଇଟି ହୋଟେଲକୁ ସ୍ଥାନାନ୍ତର କରାଯାଇଛି। ଆହୁରି ୧୦ ବିଧାୟକ ଦିନାକରନଙ୍କ କ୍ୟାମ୍ପରେ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।