ଅଭିନବ ବିରୋଧ: ହେଲମେଟ୍‌ ପିନ୍ଧି ବ୍ୟାଣ୍ଡେଜ୍‌ ବାନ୍ଧି ଚିକିତ୍ସା କଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଯାଇ ଦିଲ୍ଲୀ ଏମସ ଡାକ୍ତରମାନେ ଅଭିନବ ଢଙ୍ଗରେ ତାଙ୍କର କ୍ଷୋଭ ଜାହିର କରିଛନ୍ତି। ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍‌ (ଆରଡିଏ)ର ସଦସ୍ୟମାନେ ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ସମର୍ଥନରେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ପିନ୍ଧି କାର୍ଯ୍ୟରେ ଯୋଗଦେଇଛନ୍ତି। ଡାକ୍ତରମାନେ ହେଲମେଟ୍‌ ଏବଂ ବ୍ୟାଣ୍ଡେଜ୍‌ ସହ ରୋଗୀଙ୍କ ପାଖକୁ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସମସ୍ତେ ପ୍ରଥମେ ଅବାକ୍‌ ହୋଇଥିଲେ ମଧ୍ୟ ପରେ ଏହି ଅଭିନବ ବିରୋଧ ବାବଦରେ ଜାଣିବାକୁ ପାଇଥିଲେ।

କିଛି ଡାକ୍ତରଙ୍କ ହାତରେ ପ୍ଲାକାର୍ଡ ମଧ୍ୟ ଥିଲା, ଯେଉଁଥିରେ ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କ ପ୍ରତି ସମର୍ଥନର ବାର୍ତ୍ତା ରହିଥିଲା। କୋଲକାତା ଏବଂ ବର୍ଦ୍ଧମାନ ସହରରେ କିଛି ଜୁନିଅର ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିବା ଜାରି ରଖିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି, ଡାକ୍ତରଙ୍କ ଶତ ପ୍ରୟାସ ସତ୍ତ୍ୱେ ରୋଗୀର ସ୍ୱାସ୍ଥ୍ୟାବସ୍ଥା ନସୁଧୁରିଲେ ରୋଗୀମାନଙ୍କ ପରିବାରର ଲୋକେ ଆକ୍ରମଣ କରୁଛନ୍ତି। ଏ କ୍ଷେତ୍ରରେ ସରକାର ଡାକ୍ତରଙ୍କୁ ସୁରକ୍ଷା ଦେବାରେ ବାରମ୍ବାର ବିଫଳ ହୋଇଛନ୍ତି।