ଜୁନିଅର ଡାକ୍ତରଙ୍କୁ ଆକ୍ରମଣ ଘଟଣାରେ ତାତିଲେ ଏମ୍ସ ଆବାସିକ ଡାକ୍ତର ସଂଘ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ତେଜିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛି ଏମ୍ସ ଆବାସିକ ଡାକ୍ତର ସଂଘ (ଆରଡିଏ)। ସେମାନେ ଶୁକ୍ରବାର ବା ୧୪ ତାରିଖରେ କାର୍ଯ୍ୟବନ୍ଦ କରିବେ ବୋଲି ଧମକାଇବା ସହିତ ମୁଣ୍ଡରେ ବ୍ୟାଣ୍ଡେଜ୍‌ ବାନ୍ଧି ପ୍ରତୀକାତ୍ମକ ଭାବରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ଆରଡିଏ ପକ୍ଷରୁ ଏହି ଘଟଣାର ତୀବ୍ର ନିନ୍ଦା କରାଯିବା ସହ ସମଗ୍ର ଦେଶରେ ଡାକ୍ତରଙ୍କ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କୁହାଯାଇଛି।

ଏମ୍ସ ଆରଡିଏ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି, ପଶ୍ଚିମବଙ୍ଗରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଏପରି ବାରମ୍ବାର ଘଟିବା ଚିନ୍ତାଜନକ ଓ ନୈରାଶ୍ୟଜନକ ବୋଲି ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି, ଧାରୁଆ ଅସ୍ତ୍ର ସହିତ ହଷ୍ଟେଲରେ ପଶି ଆକ୍ରମଣ କରିବା ପ୍ରମାଣ କରିଦେଇଛି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା କେଉଁ ପରିସ୍ଥିତିରେ ଯାଇ ପହଞ୍ଚିଛି। ରାଜ୍ୟ ସରକାର ଡାକ୍ତରଙ୍କୁ ସୁରକ୍ଷା ଏବଂ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।