ଧରାପଡ଼ିଲେ ବାୟୁସେନା ଯବାନ: ଥିଲେ ପାକିସ୍ତାନର ଗୁପ୍ତଚର, ଏଜେଣ୍ଟଙ୍କ ସହ କରୁଥିଲେ ଅଶ୍ଳୀଳ ଚାଟିଂ

ନୂଆଦିଲ୍ଲୀ:  ଭାରତୀୟ ଯବାନଙ୍କ ଦେଶଭକ୍ତି ଓ ସାହସିକତାକୁ ସାରା ଦୁନିଆ ସଲାମ୍‌ କରିଥାଏ। ଭାରତୀୟ ଯବାନ ମାଟି ମାଆ ପାଇଁ ଜୀବନ ଦେବାକୁ ବି କୁଣ୍ଠାବୋଧ କରି ନଥାନ୍ତି। ହେଲେ ଆମ ବାୟୁସେନାର ଜଣେ ଅଧିକାରୀ ଏମିତି କାମ କରିଛନ୍ତି, ଯାହା ଆମ ସୁରକ୍ଷା ବ୍ୟବସ୍ଥାକୁ ବିପଦରେ ପକାଇଥିବା ବେଳେ ସମସ୍ତଙ୍କୁ ଲଜ୍ଜିତ କରିଛି।

ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଭାରତୀୟ ବାୟୁସେନାର ଏହି ବରିଷ୍ଠ ଅଧିକାରୀ ଗିରଫ ହୋଇଛନ୍ତି।  ସେ ହେଲେ ଗ୍ରୁପ୍ କ୍ୟାପଟେନ ଅରୁଣ ମାରବାହ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ସେ ଗୋପନୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ ଦେଇବା ଜଣାପଡ଼ିଛି।  ଆଇଏସ୍ଆଇର ଜଣେ ଏଜେଣ୍ଟ ଯୁବତୀଙ୍କ କଣ୍ଠରେ ଅରୁଣଙ୍କ ସହ କଥାବାର୍ତ୍ତା କରୁଥିଲେ।  ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ସମ୍ପର୍କ ନିବିଡ଼ ଥିଲା।  ଉଭୟଙ୍କ ମଧ୍ୟରେ ଅଶ୍ଲୀଳ ଚାଟିଂ ବି ହେଉଥିବା ତଦନ୍ତରୁ ଜାଣିପାରିଛି ଦିଲ୍ଲୀ ପୋଲିସ।

ବାୟୁସେନା ଏସମ୍ପର୍କରେ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସକୁ ଜଣାଇଥିଲେ। ସ୍ପେଶାଲ୍‌ ସେଲ୍ ଏହି ଘଟଣାର ତଦନ୍ତ କରିଥିଲା। ଗତକାଲି ଅରୁଣଙ୍କୁ ଗିରଫ କରାଯାଇ ଦିଲ୍ଲୀ ପଟିଆଲା କୋର୍ଟରେ ହାଜର କରାଯାଇଥିଲା।  ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ଅନୁମତି ମିଳିଛି।