କେରଳକୁ ୧୧୩ କୋଟି ଟଙ୍କା ଦେବାକୁ ବିଲ୍ ପଠାଇଲା ବାୟୁସେନା

ନୂଆଦିଲ୍ଲୀ: କେରଳରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ବେଳେ ଭାରତୀୟ ବାୟୁସେନା ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା। ୨୦୧୮ରେ ସୃଷ୍ଟି ହୋଇଥିବା ଏହି ବନ୍ୟା ଯୋଗୁ କେରଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏବେ ବାୟୁସେନା ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ଏକ ବିଲ୍‌ କେରଳ ସରକାରଙ୍କ ପାଖକୁ ପଠାଇଛି।

ଉଦ୍ଧାର ଓ ରିଲିଫ୍‌ ପାଇଁ ବାୟୁସେନା ୧୧୩.୬୯ କୋଟି ଟଙ୍କା ଖର୍ଚ୍ଚ କରିଥିବାରୁ, ଏହି ଅର୍ଥ ଦେବାକୁ କେରଳ ସରକାରଙ୍କୁ କହିଛି। ହେଲେ କେରଳ ମୁଖ୍ୟମନ୍ତ୍ରୀ ଏତେ ପରିମାଣର ଟଙ୍କା ଦେବାକୁ ଅସମର୍ଥ ବୋଲି କହିଛନ୍ତି। ଏଥିପାଇଁ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି।

ଜୁଲାଇ ୨୫ରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଲେଖିଥିବା ଚିଠିରେ କହିଛନ୍ତି ଯେ “ବାତ୍ୟା ଓ ବନ୍ୟା ଯୋଗୁ କେରଳର ପ୍ରାୟ ୩୧,୦୦୦ କୋଟି ଟଙ୍କା କ୍ଷତି ଘଟିଥିଲା। ଏବେ ଆମେ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଛୁ।

ଏପରି ସ୍ଥିତିରେ ବାୟୁସେନାକୁ ୧୧୩.୬୯ କୋଟି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଦେବାକୁ ଆମେ ସମର୍ଥ ନୁହେଁ। ତେଣୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ। ଏଥିସହ ଆମ ତରଫରୁ କେନ୍ଦ୍ର ସରକାର ଏହି ଅର୍ଥ ଦେବାର ବ୍ୟବସ୍ଥା କରନ୍ତୁ।”