ରେଳ ବୋର୍ଡ଼ ଅଧ୍ୟକ୍ଷ ହେଲେ ଏୟାର ଇଣ୍ଡିଆର ମୁଖ୍ୟ ଅଶ୍ୱିନୀ ଲୋହାନୀ

ନୂଆଦିଲ୍ଲୀ: ରେଳ ବୋର୍ଡ଼ ଅଧ୍ୟକ୍ଷ ହେଲେ ଏୟାର ଇଣ୍ଡିଆର ମୁଖ୍ୟ ଅଶ୍ୱିନୀ ଲୋହାନୀ। ସପ୍ତାହରେ ଦୁଇଟି ରେଳ ଦୁର୍ଘଟଣା ଘଟିବାରୁ ରେଳ ବୋର୍ଡ଼ ଅଧ୍ୟକ୍ଷ ଏ.କେ. ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ଅଶ୍ୱିନୀଙ୍କୁ ଅବସ୍ଥାପିତ କରାଯାଇଛି।
ଭାରତୀୟ ରେଳବାଇର ମେକାନିକାଲ ସର୍ଭିସ ଅଫିସର ହେଉଛନ୍ତି ଅଶ୍ୱିନୀ ଲୋହାନୀ। ସେ ପୂର୍ବରୁ ଦିଲ୍ଲୀର ଡିଆର୍‌ଏମ୍‌ ମଧ୍ୟ ରହିଛନ୍ତି। ଏହାସହ ଆଇଟିଡିସିର ଚେୟାରମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଖାଲି ସେତିକି ନୁହେଁ ସେ ଦିଲ୍ଲୀରେ ରେଳ ମ୍ୟୁଜିୟମର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟଭାର ତୁଲାଇଛନ୍ତି।

ଗତ ଶନିବାର ଉତ୍ତରପ୍ରଦେଶର ମୁଜାଫରନଗରରେ ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଟ୍ରାକ୍‌ରେ ମରାମତି ଚାଲିଥିବା ନେଇ ଟ୍ରେନ୍‌ ଚାଳକ ଜାଣିନପାରିବାରୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହି ଘଟଣାରେ ୪ ଜଣଙ୍କୁ ନିଲମ୍ୱିତ କରାଯାଇଥିଲା। ଏହି ଦୁର୍ଘଟଣାର ୪ ଦିନ ପରେ ଅର୍ଥାତ ଗତକାଲି କାନପୁର ଓ ଇଟାୱା ମଧ୍ୟ ଔରିୟାରେ କୈଫିୟତ ଏକ୍ସପ୍ରେସ୍‌ ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।