କାହିଁକି ବିଦେଶ ଯାଇପାରିଲାନି ୬ ବର୍ଷ ପିଲା, କ’ଣ କଲା ବାପା: ଜାଣନ୍ତୁ ଏ ରିପୋର୍ଟରୁ

ବିଦେଶ ଯିବାକୁ ବହୁ ଟ୍ରାଭେଲ ଏଜେନ୍ସି ସୁବିଧା ଯୋଗାଇ ଦେଉଛନ୍ତି। ପାସ୍‌ପୋଟ୍‌ଠାରୁ ଆରମ୍ଭ କରି ସବୁ କାଗଜପତ୍ର ରେଡ୍ଡି କରିବା ସହ ବିଦେଶ ଯିବା ପର୍ଯ୍ୟନ୍ତ ଏଜେନ୍ସିର ଏଜେଣ୍ଟ ଯାତ୍ରୀଙ୍କ ପାଖେ ପାଖେ ରହିଥାନ୍ତି। ହେଲେ ଏକ ଟ୍ରାଭେଲ ଏଜେନ୍ସି ବିରୋଧରେ ଜଣେ ବ୍ୟବସାୟୀ ଦାୟିତ୍ୱହୀନତା ଅଭିଯୋଗ ଆଣିବା ସହ ତାଙ୍କ ପୁଅକୁ ୧୨ ଦିନ ମାଗଣା ବିଦେଶ ଯାତ୍ରାର ସୁବିଧା ଦେବାକୁ ନୋଟିସ୍‌ କରିଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସମ୍ପୃକ୍ତ ଏଜେନ୍ସିକୁ ହଟହଟା ହେବାକୁ ପଡିଛି।

ପିୟୁସ ଠକ୍କର ନାମକ ଜଣେ ବିଜ୍ଞାପନ ଏଜେନ୍ସିର ମାଲିକଙ୍କ ୬ ବର୍ଷର ପୁଅ ତାଙ୍କ ଭାଇଙ୍କ ପରିବାର ସହ ଛୁଟିରେ ବୁଲିବାକୁ ଦକ୍ଷିଣ ଆଫ୍ରିକା ଯିବାର ଥିଲା। ଏଥିପାଇଁ ତାଙ୍କ ପରିବାର ଲୋକେ ‘ହୀନା ଟୁର୍ସ ଔର ଟ୍ରାଭେଲ୍ସ’ ନାମକ ଏକ ଏଜେନ୍ସି ସହ ଯୋଗାଯୋଗ କରିଥିଲେ। ଏଜେନ୍ସି ସେମାନଙ୍କ ଯିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ। ପିୟୁସଙ୍କ ପୁଅ ଓ ତାଙ୍କ ଭାଇଙ୍କ ପରିବାର ଲୋକେ ଦକ୍ଷିଣ ଆଫ୍ରିକା ଯିବାକୁ ବିମାନବନ୍ଦରକୁ ଯାଇଥିଲେ। ହେଲେ କିଛି କାଗଜପତ୍ର ତ୍ରୁଟି ଯୋଗୁଁ ପିୟୁସ୍‌ଙ୍କ ପୁଅ ଯାଇ ପାରି ନ ଥିଲେ।

ଏବେ ପିୟୁସ୍‌ ଅଭିଯୋଗ କରିଛନ୍ତି ଯେ ଏଜେନ୍ସର କର୍ମକର୍ତ୍ତା ତେଙ୍କ ପୁଅକୁ ଏକା ଛାଡିଦେଇ ପଳେଇ ଆସିଥିଲେ। ଏହା ଅତ୍ୟନ୍ତ ଦାୟିତ୍ୱହୀନତାର ପରିଚୟ ବୋଲି ସେ ଅଭିଯୋଗ କରିବା ସହ ତାଙ୍କ ୬ ବର୍ଷର ପୁଅକୁ ୧୨ ଦିନ ପର୍ଯ୍ୟନ୍ତ ମାଗଣା ବିମାନ ଯାତ୍ରା ଦେବାକୁ ନୋଟିସ୍‌ ଦେଇଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାକୁ ଛୋଟ ପିଲାଙ୍କ ବିମାନ ଯାତ୍ରା ପାଇଁ କଡା ନିୟମ ରହିଛି।  କୌଣସି ପିଲା ବାପାମାଆଙ୍କ ବିନା ବିମାନ ଯାତ୍ରା ଉପରେ କଟକଣା ରହିଛି। ଯଦି କୌଣସି ପିଲା ପରିବାର ଅନ୍ୟ କୌଣସି ସଦସ୍ୟଙ୍କ ସହ ବିମାନ ଯାତ୍ରା କରନ୍ତି ତେବେ ତାଙ୍କୁ ଏକ କୋର୍ଟ ଆପିଡେପିଟ୍‌ କରିବାକୁ ପଡିଥାଏ। ହେଲେ ସମ୍ପୃକ୍ତ ଏଜେନ୍ସି ପୁଅର ଆପିଡେପିଟ୍‌ କରି ନ ଥିବାରୁ ସେ ଯାଇ ପାରି ନ ଥିବା  ପିୟୁସ୍‌ ଅଭିଯୋଗ କରିଛନ୍ତି।

ତେବେ ଏପରି ଅଭିଯୋଗକୁ ସମ୍ପୃକ୍ତ ଏଜେନ୍ସି ମିଥ୍ୟା ବୋଲି କହିଛି। ଏଜେନ୍ସି ପକ୍ଷରୁ କୁହାଯାଇଛି ସମସ୍ତ ଆବ୍ୟଶ୍ୟକ କାଗଜପତ୍ର ତାଙ୍କ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଏବେ ପିୟୁସ୍‌ଙ୍କ ଦାବି ଅନୁଚିତ ଓ ତାଙ୍କ ନୋଟିସ୍‌ର ଉତ୍ତର ଦିଆଯିବ।