ପୁଣି ତୋଡ଼ ଦେଖାଲା ଚୀନ୍‌: କହିଲା ବିବାଦ ପାଇଁ ଡୋଭାଲ ଦାୟୀ

ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ସାମାନ୍ୟ ନରମି ଥିବା ଚୀନ୍‌ ଆଣି ପୁଣି ତୋଡ଼ ଦେଖାଇଛି। ଏଥର ଚୀନ୍‌ ସିଧାସଳଖ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଳଙ୍କୁ ଟାର୍ଗେଟ କରିଛି। ସୀମାରେ ଯେଉଁ ସ୍ଥିତି ଲାଗି ରହିଛି ସେଥିପାଇଁ ଡୋଭାଲ ହିଁ ଦାୟୀ ବୋଲି ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାମ୍ସରେ କୁହାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ, ଭାରତୀୟ ମିଡିଆ ଏପରି ପରିବେଶ ସୃଷ୍ଟି କରୁଛନ୍ତି ଯେପରି ଡୋଭାଲଙ୍କ ବେଞ୍ଜିଂ ଯାତ୍ରା ପରେ ସବୁ ଠିକ୍‌ ହୋଇଯିବ।

ରିପୋର୍ଟରେ ଲେଖା ଯାଇଛି ଯେ ଯଦି ଭାରତ ଭାବୁଛି ଡୋଭାଲଙ୍କ ଯାତ୍ରା ପରେ ସବୁ ଠିକ୍‌ ହୋଇଯିବ, ତେବେ ଏପରି ଭାବିବା ଭୁଲ। ସୀମା ବିବାଦର ସମାଧାନ ପାଇଁ ଡୋଭାଲଙ୍କ ଏହି ଯାତ୍ରା ଠିକ୍‌ ସମୟ ନୁହେଁ। ଏଥିରେ ଭାରତର ଇଚ୍ଛା ଅନୁସାରେ କିଛି ହେବ ନାହିଁ।

ଗତକାଲି ଚୀନ୍‌ର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ସଙ୍କେତ ଦେଇଥିଲେ ବ୍ରିକ୍ସ ବୈଠକ ପରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଏଥିରେ ସୀମା ବିବାଦ ସ୍ଥାନ ପାଇପାରେ।