ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ। ଏହି ଅବସରରେ ଉଭୟ  ଲୋକ ସଭା ଓ ରାଜ୍ୟ ସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। କୃଷକଙ୍କ ମଙ୍ଗଳ ଦେଶର ଉନ୍ନତିର ମୂଳମନ୍ତ୍ର ବୋଲି ରାଷ୍ଟ୍ରପତି କହିଛନ୍ତି । ଏଥିସହ ସମସ୍ତଙ୍କୁ ଗୃହ ଯୋଗାଣ ନେଇ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ଗରିବ ଓ କୃଷକଙ୍କ ମଙ୍ଗଳ ସହ ଯୁବ ପୀଢ଼ିଙ୍କୁ ରୋଜଗାରର ପନ୍ଥା ଦେବା ଲାଗି କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି।

ଦୁଇଟି ପର୍ଯ୍ୟାୟରେ ସଂସଦର ବଜେଟ୍ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୧୬ରେ ଶେଷ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୫ରେ ଆରମ୍ଭ ହୋଇ ମେ’୧୩ରେ ସରିବ। ଫେବୃଆରୀ ୨୫ରେ ରେଳ ବଜେଟ୍ ଏବଂ ୨୯ରେ ସାଧାରଣ ବଜେଟ୍ ଉପସ୍ଥାପନ କରାଯିବ। ତେବେ ବିଭିନ୍ନ ପ୍ରସଙ୍ଗ ନେଇ ସରଗରମ୍ ରହିବ ଉଭୟ ଗୃହ। ଜେଏନୟୁ ମାମଲା, ଦଳିତ ଛାତ୍ର ରୋହିତ ଭେମୁଲା ଆତ୍ମହତ୍ୟା ଏବଂ ପଠାନକୋଟ୍ ହମଲା ଆଦି ପ୍ରସଙ୍ଗକୁ  ନେଇ ଗୃହ ସରଗରମ୍ ରହିବା ଆଶା କରାଯାଉଛି।

ଗତ ଦୁଇଟି ଅଧିବେଶନରେ  ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲି ପାରି ନ ଥିଲା। ଶାନ୍ତିଶୃଙ୍ଖଳାରେ ଯେପରି ବିଭିନ୍ନ  ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରିବ ସେ ନେଇ  ଗତକାଲି ଏକ ସର୍ବଦଳୀୟ ବୈଠକ ବସିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କିଆ ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ବିଜେଡି ଯୋଗ ଦେଇ ଅଧିବେଶନ ଅବଧିକୁ ନେଇ ପ୍ରଶ୍ନ ଉଠାଇଥିଲା। ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହାତାବ କହିଛନ୍ତି ଯେ ଅଧିବେଶନରେ ଔପଚାରିକତା ବ୍ୟତୀତ ଗୃହ କାର୍ଯ୍ୟ ଅବଧି ମାତ୍ର ୧୦ ଦିନ ରହିଥିବା ବେଳେ ଆଲୋଚନା ପାଇଁ ଅନେକ ପ୍ରସଙ୍ଗ ରହିଛି। ତାହାରି ଭିତରେ ଓଡ଼ିଶାର ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି।