୨୦୧୯ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ କେଜ୍ରିୱାଲ?: ଦାବି ପୂରଣ ହେଲେ ଏଭଳି କରିବାକୁ ନିଷ୍ପତ୍ତି 

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀର ଆପ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ବିଭିନ୍ନ ଦାବିରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟଳୟ ଆଗରେ ଧାରଣାରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀରେ ପ୍ରଶାସନିକ ଅଧିକାରୀମାନଙ୍କ ଧାରଣା ଯୋଗୁଁ ଦିଲ୍ଲୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଟକି ରହିଥିବା ଅଭିଯୋଗ କରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ। ଏହାସହ କେଜ୍ରିୱାଲ କହିଛନ୍ତି ଦିଲ୍ଲୀକୁ ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳୁ। ଯଦି କେନ୍ଦ୍ରସରକାର ଦିଲ୍ଲୀକୁ ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବେ, ସେ ୨୦୧୯ରେ ବିଜେପି ପାଇଁ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି। କେବଳ ସେ ଏକା ନୁହଁନ୍ତି ଆପ୍‌ର ସମସ୍ତ ନେତା ଓ କର୍ମକର୍ତ୍ତା ବିଜେପି ପାଇଁ ପ୍ରଚାର କରିବେ ବୋଲି କେଜ୍ରିୱାଲ କହିଛନ୍ତି।

ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ଧାରଣାକୁ ଶେଷ କରିବା ପାଇଁ ଉପରାଜ୍ୟପାଳଙ୍କୁ ନିବେଦନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ତେବେ ଉପରାଜ୍ୟପାଳ ଏହାକୁ ଗୁରୁତ୍ୱ ଦେଉନଥିବା ସହ ଭିଭିନ୍ନ ଦାବି ନେଇ ଗତକାଲିଠାରୁ ଧାରଣାରେ ବସିଛନ୍ତି କେଜ୍ରିଓ୍ୱାଲ। କେଜ୍ରିୱାଲ କହିଛନ୍ତି ଏହା ଛଡା ଆଉ କିଛି ବିକଳ୍ପ ନ ଥିବାରୁ ଧାରଣା ଦେଇଛନ୍ତି। ତାଙ୍କ ସହ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଦୁଇ ମନ୍ତ୍ରୀ ଗୋପାଲ ରାୟ ଓ ସତ୍ୟେନ୍ଦ୍ର ଜୈନ ମଧ୍ୟ ସାମିଲ ହୋଇଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଦୀର୍ଘ ଦିନ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ଉପରାଜ୍ୟପାଳଙ୍କ ଉପରେ ବିଭିନ୍ନ ସମୟରେ ଅନେକ ଅଭିଯୋଗ ଆଣିଛନ୍ତି। ପୂର୍ବରୁ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ, ଉପରାଜ୍ୟପାଳ ତାଙ୍କୁ ଦିଲ୍ଲୀରେ କାମ କରିବାକୁ ସୁଯୋଗ ଦେଉ ନାହାଁନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More