ଦରଦୀ ଅକ୍ଷୟ କୁମାର: ସୁକମା ଶହିଦଙ୍କ ପରିବାରକୁ ଦେଲେ କୋଟିଏ

ମୁମ୍ବାଇ: ଦେଶ ପାଇଁ ଜୀବନ ଦେଉଥିବା ଯବାନଙ୍କ ପାଇଁ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ଦରଦ। ସେମାନଙ୍କ ପାଇଁ କେତେ ସମ୍ମାନ ଅଛି ପୁଣି ଥରେ ଏହି ଷ୍ଟାର ଜଣକ ପ୍ରମାଣ କରିଛନ୍ତି। ନିକଟରେ ସୁକମାର ମାଓ ଆକ୍ରମଣରେ ଶହିଦ ହୋଇଥିବା ୧୨ ଜଣ ଯବାନଙ୍କ ଉଦେଶ୍ୟରେ ଅକ୍ଷୟ କୁମାର ୧.୦୮ କୋଟି ଟଙ୍କା ଦାନ କରିଛନ୍ତି।

ଗତ ଶନିବାର ଛତିଶଗଡ଼ର ସୁକମାରେ ମାଓ ଆକ୍ରମଣରେ ୨୧୯ ବାଟାଲିୟନର ୧୨ ଜଣ ସିଆରପିଏଫ ଯବାନ ଟଳି ପଡ଼ିଥିଲେ। ଆଉ ଏହି ଘଟଣା ପରେ ଭାଙ୍ଗି ପଡ଼ିଥିଲେ ଅକ୍ଷୟ କୁମାର। ଅତ୍ୟନ୍ତ ମର୍ମାହତ ହୋଇପଥିଲେ ସେ। ମୃତକଙ୍କ ପରିବାରକୁ ସମେବଦନା ଜଣାଇବା ସହ ସେହି ସହିଦ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଇଚ୍ଛା ପ୍ରକଟ କରିଥିଲେ ଅକ୍ଷୟ। ଏନେଇ ସ୍ଥାନୀୟ ଡିଆଇଜି ତଥା ଆଇପିଏସ ଅଫିସର ଅମିତ ଲୋଧାଙ୍କ ସହ ଯୋଗାଯୋଗ କରି ଏହି ଟଙ୍କା ଦେଇଛନ୍ତି ଅକ୍ଷୟ। ଏଥିରେ ଶହିଦ ହୋଇଥିବା ୧୨ ଜଣ ପରିବାର ପିଛା ୯ ଲକ୍ଷ ଟଙ୍କା ମିଳିବ ବୋଲି ଜଣାପଡ଼ିଛି। ପୂର୍ବରୁ ସେ ମହାରାଷ୍ଟ୍ରର ମରୁଡ଼ି ପ୍ରପୀଡ଼ିତଙ୍କ ପାଇଁ ୯୦ ଲକ୍ଷ ଟଙ୍କା ଦେଇ ଥିବା ବେଳ ଭାରତୀୟ ଯବାନଙ୍କ ଉଦେଶ୍ୟରେ ୮୦ ଲକ୍ଷ ଟଙ୍କା ଦେଇଥିଲ।