ପିତାଙ୍କୁ ନିର୍ବାଚନୀ ଇସ୍ତାହାର ଦେଇ ଫେସବୁକ୍‌ରେ ଫଟୋ ପୋଷ୍ଟ କଲେ ଅଖିଳେଶ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ମୁଲାୟମ ସିଂ ଯାଦବ ତଥା ନିଜ ପିତାଙ୍କୁ ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରଦାନ କରିଛନ୍ତି ନିଜେ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ପିତାଙ୍କୁ ଇସ୍ତାହାର ଦେବା ସମୟର ଏକ ଫଟୋକୁ ଅଖିଳେଶ ଆଜି ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି। କେବଳ ଫଟୋ ନୁହେଁ ଏହା ସହ ତାଙ୍କ ଭିତରେ ‘ସବୁ ଠିକ୍‌ ଅଛି’ ବୋଲି ମଧ୍ୟ ସେ ଲେଖିଛନ୍ତି। ପାର୍ଟିର ନିର୍ବାଚନୀ ଇସ୍ତାହାର ଜାରି ପାଇଁ ଗତକାଲି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଲାୟମ ସିଂ ଯାଦବ ଯୋଗ ଦେଇ ନଥିଲେ। ତେଣୁ ଅଖିଳେଶ ପରେ ଏହି ଇସ୍ତାହାରକୁ  ନେଇ ତାଙ୍କୁ ନିଜେ ଦେଇଥିଲେ।

ଏହି ଫଟୋରେ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଏବଂ ଆଜମ୍‌ ଖାନ୍‌ ଉପସ୍ଥିତ ରହିଛନ୍ତି। ତେବେ ଏହି ଫଟୋରେ ମୁଲାୟମ ସିଂ ଯାଦବଙ୍କ ବ୍ୟତୀତ କେବଳ ଅନ୍ୟମାନେ ଖୁସି ଥିବା ଦେଖାଯାଇଛି।

ଖବର ମୁତାବକ, ପାର୍ଟିର ମାଲିକାନାକୁ ନେଇ ପିତା ମୁଲାୟମ ଓ ପୁଅ ଅଖିଳେଶଙ୍କ ଭିତରେ ପୂର୍ବରୁ ହୋଇଥିବା ବିବାଦର ସମାଧାନ ପାଇଁ ଆଜମ୍‌ ଖାନ୍‌ ବହୁ ଚେଷ୍ଟା କରି ଶେଷରେ ବିଫଳ ହୋଇଥିଲେ। ଉଭୟ ପାର୍ଟିର ମାଲିକାନା ଓ ସାଇକଲ ଚିହ୍ନ ହାତେଇବାକୁ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରି ନିର୍ବାଚନ ଆୟୋଗ ଦଳ ଓ ଚିହ୍ନ ମାଲିକାନା ଅଖିଳେଶଙ୍କୁ ଦେଇଥିଲେ। ଏହାପରେ ମୁଲାୟମ ପୁଅକୁ ସମର୍ଥନ କରିବା ସହ ଅଖିଳେଶ ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ମଧ୍ୟ ଗ୍ରହଣ କରିନେଇଥିଲେ।