ଅଲ୍ କଏଦା ଓ ଆଇଏସ୍ ଆମେରିକା ପାଇଁ ବିପଦ: ଓବାମା

obamaୱାଶିଂଟନ: ପାକିସ୍ତାନ ଓ ଆଫଗାନିସ୍ତାନ ସମେତ ବିଶ୍ୱର ଅନେକ ସ୍ଥାନରେ ଦଶନ୍ଧି ଦଶନ୍ଧି ଧରି ଅସ୍ଥିରତା ଲାଗି ରହିବ। ଆତଙ୍କବାଦୀ ସଂଗଠନ ଅଲ୍ କଏଦା ଓ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆମେରିକା ପାଇଁ ସିଧାସଳଖ ବିପଦ। ବୁଧବାର ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏ କଥା କହିଛନ୍ତି। ତାଙ୍କର ଅନ୍ତିମ ‘ଷ୍ଟେଟ୍ ଅଫ ଦି ୟୁନିୟନ୍’ ଭାଷଣରେ ଓବାମା ଏହି ପର୍ଯ୍ୟବେକ୍ଷଣ କରିଛନ୍ତି।

ସେ କହିଛନ୍ତି, ଉଭୟ ଅଲ୍ କଏଦା ଓ ଆଇଏସ୍ ଆମେରିକା ଲୋକଙ୍କ ପାଇଁ ସିଧାସଳଖ ବିପଦ। କାରଣ ବର୍ତ୍ତମାନର ଦୁନିଆଁ ହାତଗଣତି କେତେ ଜଣ ଆତଙ୍କୀ ମଧ୍ୟ କଳ୍ପନା ବାହାରେ କ୍ଷତି ପହଞ୍ଚାଇ ପାରନ୍ତି। ସେମାନଙ୍କର ମାନବିକତା ବୋଲି କିଛି ନାହିଁ। ଆଇଏସ ଇଣ୍ଟରନେଟ୍ ଜରିଆରେ ଲୋକଙ୍କ ମୁଣ୍ଡକୁ ବିଷାକ୍ତ କରି ଦେଉଛି। ଆଇଏସ୍ ମୁସଲମାନମାନଙ୍କ ପ୍ରତିନିଧିତ୍ୱ କରେ ନାହିଁ। ଏହା ଏକ ମୌଳବାଦୀ ସଂଗଠନ। ଏହି ସଂଗଠନକୁ ମୂଳପୋଛ କରି ଦିଆଯିବ।

ଓବାମା କହିଛନ୍ତି, ଆମେରିକାର ଅର୍ଥନୀତି ନିମ୍ନଗାମୀ ହେଉଛି ବୋଲି ଯେଉଁ ଆଲୋଚନା ହେଉଛି, ତାହା ସଂପୂର୍ଣ୍ଣ ଭାବେ କପୋଳକଳ୍ପିତ। ଆମେରିକାର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ବିଶ୍ୱର ସବୁଠୁ ସ୍ଥିର ଅର୍ଥନୈତିକ ବ୍ୟବସ୍ଥା। ଏହା ସହିତ ସର୍ବନିମ୍ନ ମଜୁରୀ ହାର ବଢ଼ାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋର୍ ଦେଇଛନ୍ତି।