ଏଲେପି-ଧାନବାଦ ଏକ୍ସପ୍ରେସରୁ ବିସ୍ଫୋରକ ଜବତ ପରେ ଦେଶର ସମସ୍ତ ରେଳବାଇ ଜୋନ୍‌ରେ ଆଲର୍ଟ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ାରେ ଏଲେପି-ଧାନବାଦ ଏକ୍ସପ୍ରେସ୍‌ରୁ ବିସ୍ଫୋରକ ଜବତ ପରେ ଦେଶର ସମସ୍ତ ରେଳବାଇ ଜୋନକୁ ଆଲର୍ଟ ଜାରି କରିଛି ରେଳ ବିଭାଗ। ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରେଳବାଇ ଜୋନ୍‌ର ଜେନେରାଲ ମ୍ୟାନେଜର ଓ ରେଲୱେ ପ୍ରିନ୍ସିପାଲ ଚିଫ୍ ସିକ୍ୟୁରିଟି କମିଶନରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।   ସେହିଭଳି ରେଳଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା ସଂସ୍ଥାଗୁଡ଼ିକୁ ମଧ୍ୟ ଆଲର୍ଟ ଜାରି ହୋଇଛି। ପୋଲିସ ଓ ଗୁଇନ୍ଦା ସଂସ୍ଥା ସହ ଯୋଗାଯୋଗ ରଖି ଏଭଳି ଅଘଟଣ ଏଡ଼ାଇବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଗତ ୨୭ ତାରିଖରେ ଏଲେପି-ଧାନବାଦ ଏକ୍ସପ୍ରେସର S-3 ବଗିରେ ଥିବା ଏକ ପ୍ଲାଷ୍ଟିକ ବ୍ୟାଗରୁ ହଠାତ୍‌ ଧୂଆଁ ବାହାରି ଥିଲା। ଏହାକୁ ଦେଖି ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ପରେ ଜିଆରପି ପହଞ୍ଚି ୬ଟି ବିସ୍ଫୋରକ ଜବତ କରିଥିଲା। ପରେ ଏହି ବିସ୍ଫୋରକଗୁଡ଼ିକ IED ବୋଲି ଜଣାପଡ଼ିଥିଲା। ଏ ନେଇଏ ମାମଲା ଦାଏର ହୋଇଛି। ରେଳବାଇ ଓ ଆରପିଏଫ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ଏହି ଆଇଇଡି କିଏ ଓ କାହିଁକି ଆଣିଥିଲେ ସେ ନେଇ ତଦନ୍ତ କରାଯାଉଛି।